Unknown

 

 

 

 

 

 

 

 

 

 

 

କିର୍ତ୍ତନ ନିମାଇଁ ସନ୍ନ୍ୟାସ

ବୈଷ୍ଣବ ଚରଣ ଦାସ

 

କୀର୍ତ୍ତନ

ପୂର୍ବ-ଖଣ୍ଡ

 

ମଙ୍ଗଳାଚରଣଂ

 

ଭାଲଂ ଯସ୍ୟ ପ୍ରଶସ୍ତଂ ଶଶଧର ବଦନଂ ଉନ୍ନତ ଦୀର୍ଘ ନାସାଂ ।

ବିମ୍ବୋଷ୍ଠଂ କମ୍ବୁକଣ୍ଠଂ କନକ ଗିରିନିଭଂ ଫୁଲ୍ଲପଙ୍କୋରୁହାକ୍ଷଂ ।।

ଆଜାନୁସ୍ପର୍ଶ ହସ୍ତଂ କଟିତଟ ବିଳସଦ୍ରକ୍ତ କୌପୀନ ବାସଂ ।

ବନ୍ଦେ ଶ୍ରୀ ଗୌରଚନ୍ଦ୍ରଂ ନିଖିଳଂ ଜନମନ-ସ୍ତାପ ସନ୍ତାପ ମୋରଂ ।।

Image

 

(ରାଗ–ବଙ୍ଗଳାଶ୍ରୀ, ତାଳ–ଆଠତାଳୀ)

 

ଶୁଣ ଭକ୍ତଗଣ ସ୍ଥିରକରି ମନ ଗୌରାଙ୍ଗ ସନ୍ନ୍ୟାସ ଲୀଳା,

ସୁଧାଠାରୁ ସ୍ୱାଦ ଶ୍ରବଣେ ଯେ ପଦ ଦ୍ରବାଏ ମୁଗୁନି ଶିଳା ହେ ।୧।

 

ଶ୍ରୀ ଶଚୀ ନନ୍ଦନ ତ୍ରିଜଗ ବନ୍ଦନ ଭକ୍ତଙ୍କ ହୃଦ ଚନ୍ଦନ ।

ଯେପରି ସନ୍ନ୍ୟାସୀ ହେଲେ ଗୌର ଶଶୀ କରିବଇଁ ତା ବର୍ଣ୍ଣନ ।୨।

 

ଆପଣେ ଆଚରି ଧର୍ମ କର୍ମ ଶିରୀ ଆନେ ଦିଆଇଲେ ଶିକ୍ଷା ।

ଭାରତୀ ଗୋସାଇଁ ନିକଟରେ ଯାଇଁ ଯେହ୍ନେ ନେଲେ ତ୍ୟାଗ ଦୀକ୍ଷା ।୩।

 

ତା ସବୁ ବିସ୍ତାରି ଲେଖୁଛି ବିଚାରି ଶ୍ରୀଗୁରୁ ଚରଣ ଚିନ୍ତି ।

କହେ ଦୀନହୀନ ବୈଷ୍ଣବ ଚରଣେ ଅକିଞ୍ଚନ ମୂଢ଼ ମତି ହେ ।୪।

Image

 

(ରାଗ–ମଙ୍ଗଳ, ତାଳ–ତ୍ରିପୁଟା)

 

ହର୍ଷ ମନେ ଏକ ଦିନେ କେଶବ ଭାରତୀ ।

ଆସିଲେ ସୁଯୋଗ ଦେଖି ଶ୍ରୀନିମାଇଁ କତି ହେ ।୧।

ମହା ଶୁଦ୍ଧମତି ମହା ତେଜସ୍ୱୀ ଗୋସାଇଁ ।

ମହା ଭାଗବତ ସେ ଯେ ଭୁବନ ବିଜୟୀ ହେ ।୨।

ତାଙ୍କ ପୂର୍ବାର୍ଜିତ ପୁଣ୍ୟ କେ ପାରିବ କହି ।

ଯାହାଙ୍କର ଶିଷ୍ୟ ହେବେ ତ୍ରିଜଗତ ସାଇଁ ହେ ।୩।

ଆଚଂବିତେ ପ୍ରବେଶିଲେ ନଦୀୟା ନଗରେ ।

ନୟନ ଯୁଗଳୁ ତାଙ୍କ ପ୍ରେମ ଅଶ୍ରୁ ଝରେ ହେ ।୪।

ସେହି ସନ୍ନ୍ୟାସୀବରଙ୍କୁ ଦେଖି ନର ନାରୀ ।

ଚରଣେ ପ୍ରଣାମ କଲେ ହୃଦେ ଭକ୍ତି ଭରି ।୫।

ସମସ୍ତଙ୍କୁ ଆଶୀର୍ବାଦ କରି ସେ ଭାରତୀ ।

ଶଚୀ ଦେବୀଙ୍କ ପୁରକୁ ଗମନ କରନ୍ତି ହେ ।୬।

ଭାରତୀ ଗୋସାଇଁଙ୍କର ଶ୍ରୀଚରଣ ଧୂଳୀ ।

ଦୁଃଖୀ ବଇଷ୍ଣବ ଦାସ ଶିରେ ହୁଏ ବୋଳି ହେ ।୭।

Image

 

(ରାଗ, ତାଳ ତ୍ରିପୁଟା)

 

ଶ୍ରୀ ଶଚୀ ଦେବୀଙ୍କ ପୁରେ ଅତି ଆନନ୍ଦ ମନରେ

ପ୍ରବେଶ ହୋଇଲେ ସେ ସନ୍ନ୍ୟାସୀ ।

ମହାପ୍ରଭୁ ବିଶ୍ୱମ୍ଭର, ଦେଖି ବନ୍ଦିଲେ ପୟର

ସେହିକାଳେ ଭକ୍ତି ନୀରେ ଭାସି ହେ ।୧।

ଶ୍ରୀ ଗୌରଚନ୍ଦ୍ରଙ୍କ କାନ୍ତି ଦେଖି କେଶବ ଭାରତୀ

ମୃଦୁସ୍ୱରେ କହନ୍ତି ବଚନ ।

ତୁମ୍ଭେ କିବା ଶୁକ ଯତି, କିବା ପ୍ରହ୍ଲାଦ ମୂରତି,

ବୋଲାଉଛ ଶଚୀଙ୍କ ନନ୍ଦନ ହେ ।୨।

ଏହା ଶୁଣି ଗୌରଙ୍କର, ନେତ୍ର ଯୁଗୁଁ ଅଶ୍ରୁ ନୀର,

ବହିଗଲା ଧାର ଧାର ହୋଇ ।

କାନ୍ଦି ହୋଇଲେ ଅଧିର, ସେ ଯେ ବ୍ରହ୍ମାଣ୍ଡ ଠାକୁର

ଦେଖି ଚିନ୍ତେ ଭାରତୀ ଗୋସାଇଁ ହେ ।୩।

ଏ ନିଶ୍ଚୟ ନାରାୟଣ, ହୋଇଛନ୍ତି ଅବତୀର୍ଣ୍ଣ

ଧରା ଭାର ହରିବାର ଲାଗି ।

ମହାପୁରୁଷ ଲକ୍ଷଣ, ଦେଖାଯାଏ ବିଲକ୍ଷଣ,

ଅନ୍ତରେ ସାତ୍ତ୍ୱିକ ଉଠେଜାଗି ହେ ।୪।

ସମ୍ଭାଳି ନପାରି ତହିଁ, ଭଣି ଭାରତୀ ଗୋସାଇଁ,

ତୁମ୍ଭେ ନିଶ୍ଚେ ପ୍ରଭୁ ଭଗବାନ ।

ଏହି ଅନୁମାନ ମୋର, ସର୍ବଜନ ପ୍ରାଣେଶ୍ୱର,

ଏ ବିନୁ ମୁଁ ନ ବୋଲିବି ଆନ ହେ ।୫।

ତୁମ୍ଭେ ବ୍ରହ୍ମାଣ୍ଡର ସାଇଁ, ଏଥିରେ ସଂଶୟ ନାହିଁ,

ଆହେ ଦୟାମୟ ଦୀନବନ୍ଧୁ ।

କେଶବ ଭାରତୀ ଉକ୍ତି, ବୈଷ୍ଣବ ଦାସ ବଦତି,

ମୋରେ ଦୟାକର କୃପାସିନ୍ଧୁ ହେ ।୬।

Image

 

(ରାଗ–ବଙ୍ଗଳାଶ୍ରୀ, ତାଳ–ଆଠତାଳୀ)

 

ଏ ବଚନ ଶୁଣି, ଶଚୀ ହୃଦ-ମଣି;

ଅତ୍ୟନ୍ତ କାତର ମନେ ।

ସନ୍ନ୍ୟାସୀ ଚରଣ, ପ୍ରଣମି ତତ୍‌କ୍ଷଣେ;

ଚଳିଲେ ନିଜସଦନେ ହେ ।୧।

ବିଦାୟ ହୋଇଲେ, କେଶବ ଭାରତୀ;

କଣ୍ଟକ ନଗର ଦିଗେ ।

ଘରେ ଯାଇ କରି, ପ୍ରଭୁ ଗୌରହରି;

ସନ୍ନ୍ୟାସୀର ଅନୁରାଗେ ହେ ।୨।

ମନେ ମନେ ପୁଣ କଲେ ଅନୁମାନ

ନଦୀୟା ଗଗନ ଶଶୀ ।

ଆଜିଠାରୁ ମୁହିଁ ସର୍ବ ତ୍ୟାଗୀ ହୋଇ

ହେବି ନବୀନ ସନ୍ନ୍ୟାସୀ ହେ ।୩।

ନବଦ୍ୱୀପ ଚାନ୍ଦ ମାନସ ମୁକୁନ୍ଦ

ଜାଣି ପାରିଲେ ଇଙ୍ଗିତେ ।

ରଖିବା ମାନସେ ତାଙ୍କୁ ଗୃହବାସେ

ପ୍ରକାଶ କଲେ ତ୍ୱରିତେ ହେ ।୪।

ଆପଣା ବିଶ୍ୱାସୀ ଯେ ନଦୀୟା ବାସୀ

ତାଙ୍କ ସନ୍ନିଧିରେ ଯାଇ ।

ଗୌରାଙ୍ଗ ବିଚାର କଲେକ ପ୍ରଚାର

ଆନ କେହି ନ ଜାଣଇ ହେ ।୫।

ସଂକୀର୍ତ୍ତନ ଗୋଷ୍ଠି ଭକ୍ତଜନେ ଭେଟି

କହନ୍ତି ମୁକୁନ୍ଦ ସର୍ବ ।

ଶିରେ ମାରି ହାତ ହୁଏ ବ୍ୟାକୁଳିତ

ଅଧମ ଦାସ ବୈଷ୍ଣବ ହେ ।୬।

Image

 

(ରାଗ–ମଙ୍ଗଳ ଗୁର୍ଜ୍ଜୁରୀ, ତାଳ–ଏକତାଳୀ)

 

ଶ୍ରୀ ଗୌରାଙ୍ଗ ସନ୍ନ୍ୟାସ ହୋଇବେ ଏହି କଥା ।

ନ ଜାଣନ୍ତି ଥୋକେ ଲୋକେ ପୁଣି ଶଚୀମାତା ।୧।

ନ ଜାଣନ୍ତି ବିଷ୍ଣୁପ୍ରିୟା ଏସନ ଚରିତ ।

ଗୃହଛାଡ଼ି ଚାଲିଯିବେ ବୋଲି ପ୍ରାଣକାନ୍ତ ।୨।

ମୁକୁନ୍ଦ କହନ୍ତି ମାତ୍ର କେତେଜଣ ଆଗେ ।

ପ୍ରକାଶ ନକରେ କେହି ଗୋରା ଅନୁରାଗେ ।୩।

କେହି ବା ମଣନ୍ତି ମିଛ କେ ମଣନ୍ତି ସତ ।

ନବ ଦ୍ୱୀପ ଚନ୍ଦ୍ର ଗୌର ସଭିଙ୍କର ଚିତ୍ତ ।୪।

କେମନ୍ତେ ମୁରୁଛି ଯିବେ ସୁନାର ନିମାଇଁ ।

ଥୋକେ ନର ନାରୀଙ୍କର ମନକୁ ନ ଆସଇ ।୫।

ତୁନି ତାନି ଗୋପନେ ହୁଅନ୍ତି କୁହାକୁହି ।

ଶଚୀ ମାତା ବିଷ୍ଣୁପ୍ରିୟା ନ ଜାଣିବା ପାଇଁ ।୬।

ବଇଷ୍ଣବ ଦାସ ବୋଲେ ନେତ୍ରେ ଭରି ନୀର ।

ଗୌରଚନ୍ଦ୍ର ବିନେ ହେବ ନଦୀୟା ଅନ୍ଧାର ।୭।

Image

 

(ରାଗ–ମଧୁଶ୍ରୀ, ତାଳ–ଆଠତାଳୀ)

 

ବ୍ୟାକୁଳ ଅନ୍ତରେ, ଥାଇ ଏକାନ୍ତରେ,

ବିଷ୍ଣୁପ୍ରିୟା ମହାସତୀ ।

ପ୍ରିୟ ସହଚରୀ, ପାଶେ କାନ୍ଦି କରି

ଗଦ୍‌ଗଦ ସ୍ୱରେ କହନ୍ତି ।

ଶୁଣ ଆଗୋ ସହୀ ! ମରମ-ବେଦନା ଯା କହଇ ।୧।

 

ଆଜି କାହିଁପାଇଁ ନଦୀୟା ନଗର

ଶୂନ୍ୟମୟ ଦିଶେ ମୋତେ ।

ସର୍ବାଙ୍ଗ ଥରୁଛି, ଆହାର ଅରୁଚି;

ସୁଖ ନାହିଁ ମୋର ଚିତ୍ତେ ।

ବେନି ନେତ୍ରୁ ମୋର । ଅକସ୍ମାତେ ବହେ ଲୁହଧାର ।୨।

 

ଡେଉଁଛି କାହିଁକି, ମୋ ଦକ୍ଷିଣ ଆଖି;

ଦକ୍ଷିଣ ଅଙ୍ଗ ସକଳ ।

କର୍ଣ୍ଣର ଭୂଷଣ, ଖସେ କି କାରଣ;

ନାସିକାର ମୋତି ଫଳ ।

ଏକି ମନ୍ଦ ଦଶା । ବିଷପରି ଲାଗେ ବେଷଭୂଷା ।୩।

 

ଘର ବନ ପରି, ଦିବସ ଶର୍ବରୀ;

ଦିଶୁଛି ଥୋକାଏ ଦିନୁ ।

ପ୍ରାଣନାଅଙ୍କର, ଅନ୍ୟ ମନ କିମ୍ପା;

ଜାଣୁଛି ମୁଁ ଅନୁମାନୁ ।

ବିଷ୍ଣୁପ୍ରିୟା ବାଣୀ । ଦୁଃଖୀ ବଇଷ୍ଣବ ଦାସ ଭଣି ।୪।

Image

 

(ରାଗ–ମଙ୍ଗଳ, ତାଳ–ଏକତାଳୀ)

 

ଆଉ ଏକ ବିପରୀତ ଦେଖିଲି ଗୋ ସହୀ ।

ଗଙ୍ଗାର ସଲିଳ ଧାର ସ୍ଥକିତ କିମ୍ପାଇଁ ।୧।

 

ତରୁଲତା ଝାଉଁଳିଛି ଗୋ ନଫୁଟଇ ଫୁଲ ।

ଭ୍ରମର ଗୁଞ୍ଜନ ଶୂନ୍ୟ ମଉନ କୋକିଳ ।୨।

 

ଧେନୁ ତୃଣ ନ ଭାଷନ୍ତି ସୁରଧୁନୀ କୂଳେ ।

ହମ୍ବାରବ ନକରନ୍ତି ଅତ୍ୟନ୍ତ ଆକୁଳେ ।୩।

 

ଦକ୍ଷିଣ ପାଶେ ଭୁଜଙ୍ଗ ଫଣା ଟେକି ଗଲା ।

ପ୍ରଭାତରୁ ତୁଚ୍ଛାକୁମ୍ଭ ଏ ନେତ୍ର ଦେଖିଲା ।୪।

 

ଜାଣୁଅଛି ଏଥୁ କିଛି ପଡ଼ିବ ବିପତ୍ତି ।

ବଇଷ୍ଣବ ଦାସ ବୋଲେ ଧୈର୍ଯ୍ୟଧର ସତୀ ।୫।

Image

 

(ରାଗ–ଦୀର୍ପ ବଙ୍ଗଳାଶ୍ରୀ, ତାଳ–ଆଠତାଳୀ)

 

ଓଦା ବସନରେ, ଗଙ୍ଗା ସ୍ନାନ ସାରି

ଶ୍ରୀ ଗୌରଚନ୍ଦ୍ର ଘରଣୀ ।

ସଦନେ ପ୍ରବେଶି, ଶାଶୁଙ୍କ ଆଗରେ,

କାନ୍ଦି କହନ୍ତି ଏ ବାଣୀ ।

ଜନନୀ ଗୋ ! ମୋର କରମ ହୀନ ।

ଧିକ ଧିକ ଏ ମୋ ଦେହ ଜୀବନ ।୧।

 

କଇଁ କଇଁ ହୋଇ, ପାଗଳୀ ପରାୟୀ

କହନ୍ତେ ଶ୍ରୀ ବିଷ୍ଣୁପ୍ରିୟା ।

କୋଳକରି ତହିଁ, ଶଚୀ ମାତ କହି

ଆକୁଳେ ଫିଟାଇ ହିୟା ।

କି ଗୋ ତୁ କିମ୍ପାଇଁ ହେଉ ଏପରି

ମୋର ବଧୂ ବିଷ୍ଣୁପ୍ରିୟା ସୁନ୍ଦରୀ ।୨।

 

ବିଷ୍ଣୁପ୍ରିୟା ଭଣି ହେ ଦେବୀ ଜନନୀ

କି କହିବି ମୋର ଦୁଃଖ ।

ଚୌଦିଗେ କେବଳ ଦେଖେ ଅମଙ୍ଗଳ

ତେଣୁ ଫାଟେ ମୋର ବକ୍ଷ ।

ସ୍ନାନ କରୁଥିଲି ଗଙ୍ଗାର ଜଳେ

ଏକ ଅମଙ୍ଗଳ ଚିହ୍ନ ସେ ସ୍ଥଳେ ।୩।

 

ନାସାର ବେଶରେ କାହିଁକି ଗୋ ମୋର

ଖସି ପଡ଼ିଲା ସେ ନୀରେ ।

ଦକ୍ଷିଣ ନୟନ ନାଚେ ଘନ ଘନ

ହୃଦୟ ଗୋଟା ମୋ ଥରେ ।

ଦକ୍ଷିଣ ଭୁଜଙ୍ଗ ତା ଫଣା ଟେକି

ଯିବାର ଆଜ ଦେଖିଲି କାହିଁକି ? ।୪।

 

ପ୍ରବୋଧି ଜନନୀ କହନ୍ତି ଏ ବାଣୀ

ଆଗୋ ସତୀ ବିଷ୍ଣୁପ୍ରିୟ ।

ନ ହୁଅ ଅଧିରା ମୁଞ୍ଚ ଅଶ୍ରୁ ଧାରା

ଏ ସବୁ ହରିଙ୍କ ମାୟା ।

କାନ୍ଦି କହେ ଦୁଃଖୀ ବୈଷ୍ଣବ ଦାସ

ନବଦ୍ୱୀପ ଛାଡ଼ି ଯିବେ ଜୀବେଶ ।୫।

Image

 

(ରାଗ–ବଙ୍ଗଳାଶ୍ରୀ, ତାଳ ଆଠତାଳୀ)

 

ନଦୀୟା ନଗରେ ଯେତେ ନାରୀ ନରେ

ସଭିଙ୍କି ମୁକୁନ୍ଦ କହି

ସନ୍ନ୍ୟାସ ବିଚାରେ ନ କହିବେ ଘରେ

ଶଚୀ ନନ୍ଦନ ନିମାଇଁ ହେ ।୧।

ନେତ୍ରେ ଦେଖୁ ଥାଇ ମୁଖୁଁ ଶୁଣୁଥାଇ

ଯେ ଅମୃତ ଜିଣା ବାଣୀ ।

ଏଣିକି ତା ସର୍ବ ସ୍ୱପନ ହୋଇବ

ସର୍ବ ଜନେ ଥାଅ ଜାଣି ହେ ।୨।

ନିଜ ଗୃହ ବାସ, ଯେତେ ଦାସୀ ଦାସ

ସମସ୍ତଙ୍କୁ ଦୂର କରି ।

ସନ୍ନ୍ୟାସୀ ହୋଇବେ ଗୌରଚନ୍ଦ୍ର ଏବେ

ସକଳ ସୁଖ ପାସୋରି ହେ ।୩।

ଆପଣା ଜନନୀ ଶଚୀ ଠାକୁରାଣୀ

ପତ୍ନୀ ବିଷ୍ଣୁପ୍ରିୟା ସତୀ

ଏହାଙ୍କୁ ତେଜିବେ ଗୌରାଙ୍ଗ କି ଭାବେ

ବୈଷ୍ଣବ ଦାସ ବଦତି ହେ ।୪।

Image

 

(ରାଗ–ମଙ୍ଗଳ କେଦାର, ତାଳ–ଏକତାଳୀ)

 

ମୁକୁନ୍ଦଙ୍କ ମୁଖୁଁ ଏହି ହୃଦହଣା ବାଣୀ ।

ଶୁଣି ନବଦ୍ୱୀପ ବାସୀ କରନ୍ତି ଭାଳେଣି ହେ ।୧।

ସବୁରି ମନର ବ୍ୟଥା ବେଳୁଁ ବେଳ ବେଶି ।

ଆହା କାହିଁ ଛାଡ଼ିଯିବେ, ନବଦ୍ୱୀପ ଶଶୀ ହେ ।୨।

କି ଉପାୟେ ଗୌରହରି ରହିବେଟି ଘରେ ।

କାହାକୁ ନ ଦିଶେ ବୁଦ୍ଧି କୌଣସି ପ୍ରକାରେ ହେ ।୩।

ଏହାଚିନ୍ତା ସଭିଙ୍କର ହେଲା ଗୁରୁତର ।

କି କହିବେ ବୋଲି ମୁଖୁଁ ନ ଆସେ ଉତ୍ତର ହେ ।୪।

ମୁକୁନ୍ଦଙ୍କ ବାକ୍ୟ ହେଲା ବଜ୍ରର ସମାନ ।

ବ୍ୟାକୁଳ ନଦୀୟାବାସୀ ନେତ୍ରୁ ବହେ ବନ ହେ ।୫।

ଗଛ କାନ୍ଦେ ପତ୍ର କାନ୍ଦେ କାନ୍ଦଇ ଧରଣୀ ।

କାହିଁ ଛାଡ଼ିଯିବେ ଆହା ଗୌର ଗୁଣମଣି ହେ ।୬।

କେ ବା ଶିଖାଇଲା ତାଙ୍କୁ ସନ୍ନ୍ୟାସ ମନ୍ତର ।

ସମସ୍ତଙ୍କୁ ଗୌରହରି କରିବେ ଅନ୍ତର ହେ ।୭।

ଭାଳନ୍ତି ନଦୀୟା ଜନେ ଦୁଃଖୀତ ମାନସେ ।

ଦୁଃଖୀ ବଇଷ୍ଣବ ଦାସ ଚିନ୍ତା-ନୀରେ ଭାସେ ହେ ।୮।

Image

 

(ଯଥା–ରାଗ, ତାଳ–ତ୍ରିପୁଟା)

 

ଏମନ୍ତ, ସମୟେ ତଥି, ପ୍ରବେଶ ହୋଇ ଝଟତି,

ମହାପ୍ରଭୁ ଗୌରାଙ୍ଗ ସୁନ୍ଦର ।

ଶ୍ରୀବାସଙ୍କ କର ଧରି, କହନ୍ତି ବିନତି କରି,

ଶୁଣ ଶୁଣ ଭକ୍ତ-ଦ୍ୱିଜବର ହେ ।୧।

ଏକ କଥା ତୁମ୍ଭ ପାଶ କହିବି ଆହେ ଶ୍ରୀବାସ

ନ କରିବ ମନରେ ବିଷାଦ ।

ପ୍ରେମ ଉପାର୍ଜ୍ଜନେ ମୁହିଁ, ଦେଶାନ୍ତର କରିବଇଁ

ମୋ ଲାଗି କେ ନ କରିବେ ଖେଦ ହେ ।୨।

ସେହି ମହା ପ୍ରେମ ଧନ ତୁମ୍ଭ ସଭିଙ୍କି ପ୍ରଦାନ

କରିବି ମୁଁ ଅନାୟାସେ ଜାଣ ।

ଯେପରି ସାଧବ ଜିନ ଧନ କରି ଅରଜବ

ପୋଷେ ନିଜ ପ୍ରିୟ ବନ୍ଧୁଗଣ ହେ ।୩।

ସେହି ପ୍ରାୟ ପ୍ରେମ-ବିତ୍ତ ସକଳେ ଲଭିବ ସତ୍ୟ

ଏଥିରେ ସଂଶୟ ନାହିଁ ଲେଶ ।

ଶ୍ରୀ ଗୌରଚନ୍ଦ୍ରଙ୍କ ବାଣୀ ମର୍ମ୍ମ କତୁରା କାହାଣୀ

ଭଣେ ଦୁଃଖୀ ବଇଷ୍ଣବ ଦାସ ହେ ।୪।

Image

 

(ରାଗ–କଳସା, ତାଳ–ଏକତାଳୀ)

 

ମହାପ୍ରଭୁଙ୍କ ଶ୍ରୀମୁଖଁ ଏ ବଚନ ଶୁଣି ।

କରୁଣ ସ୍ୱରେ ଶ୍ରୀବାସ ଭାଷନ୍ତି ତତ୍‌କ୍ଷଣି ହେ ।୧।

ଆହେ ନବଦ୍ୱୀପ ଶଶୀ କି କହ ଆପଣ ।

ତୁମ୍ଭ ଆଦର୍ଶନେ କେହ୍ନେ ରହିବ ଏ ପ୍ରାଣ ହେ ।୨।

ଯେତେ ତବ ଭକ୍ତ ଛନ୍ତି ନଦୀୟା ମଣ୍ଡଳେ ।

ଏ ଚନ୍ଦ୍ର ମୁଖ ନ ଦେଖି ମରିବେ ସକଳେ ହେ ।୩।

ତୁମ୍ଭେ ଧନ ତୁମ୍ଭେ ପ୍ରାଣ ତୁମ୍ଭେ ଏକା ଗତି ।

ତୁମ୍ଭେ ଆମ୍ଭମାନଙ୍କର ନୟନ-ସମ୍ପତି ହେ ।୪।

ଦେଶାନ୍ତର କରିବାକୁ ନ ଦେବୁଁ ହେ ଛାଡ଼ି ।

କେତେ ପୁଣ୍ୟ ଫଳେ ପାଇଅଛୁଁ ଲୋଡ଼ି ଲୋଡ଼ି ହେ ।୫।

ଯେଉଁ ପ୍ରେମ-ଧନ କରିଅଛ ବିତରଣ ।

ଆମ୍ଭ ପକ୍ଷେ ତା ବହୁତ ହୋଇଅଛି ପ୍ରମାଣ ହେ ।୬।

ତବ ବିରହରେ ନ ପାରିବୁଁ ପ୍ରାଣ ଧରି ।

ବଇଷ୍ଣବ ଦାସ ବୋଲେ ନ କହ ଏପରି ହେ ।୭।

Image

 

(ରାଗ–ବଙ୍ଗଳାଶ୍ରୀ, ତାଳ–ଆଠତାଳୀ)

 

ମୁକୁନ୍ଦ କହନ୍ତି ଦୁଃଖ ମନେ ତଥି

ନୟନୁ ଝରାଇ ନୀର ।

ଆହେ ଦୟାମୟ ଯା ହୁଏ ହୃଦୟ

କି କହିବି ମୁହିଁ ଛାର ହେ ।୧।

ପ୍ରାଣ ମାତ୍ର ଅଛି ଚାଲି ନ ଯାଉଛି

ହେଉଅଛି କଲବଲ ।

ତୁମ୍ଭର ସନ୍ନ୍ୟାସ ଶ୍ରବଣେ ମାନସ

ଲାଗୁ ନାହିଁ ହାଦେ ଭଲ ହେ ।୨।

ନଦୀୟା-ସୁନ୍ଦର ଗଲେ ଦେଶାନ୍ତର

କି କାର୍ଯ୍ୟ ଆଉ ଜୀବନେ ?

ଏପରି ନିଷ୍ଠୁର କିମ୍ପା ଆମ୍ଭ ଠାର

କହନ୍ତୁ କିନା ଆପଣେ ହେ ।୩।

ତୁମ୍ଭ ମୁଖ ଚାନ୍ଦ ନ ଦେଖି ତିଳାର୍ଦ୍ଧ

ଯେଉଁ ଯେ ମୃତ୍ୟୁ ସମାନ ।

କାହା ବୋଲେ ଦେବ ! ସନ୍ନ୍ୟାସୀ ହୋଇବ

ଏ କି ବିଧି ବିଡ଼ମ୍ବନ ହେ ।୪।

ହୋଇ କାନ୍ଦ କାନ୍ଦ ଏପରି ମୁକୁନ୍ଦ

କହନ୍ତି ଗୌରଙ୍କୁ ଚାହିଁ ।

ଭଣେ ଦୀନ ହୀନ ବୈଷ୍ଣବ ଚରଣ

ଗୋରା ବିନେ ଗତି କାହିଁ ହେ ।୫।

Image

 

(ରାଗ–ଦୀର୍ଘ ମଧୁଶ୍ରୀ, ତାଳ–ତ୍ରିପୁଟା)

 

ନେତ୍ରୁ ଢାଳି ବାରି, କହନ୍ତି ମୁରାରି,

ଶ୍ରୀ ଚୈତନ୍ୟ ଚନ୍ଦ୍ର ପାଶେ ।

ସଂଶୟ ଫିଟାଇ, କହ ଦୟାବହି,

ଛାଡ଼ି ଯିବ କେଉଁ ଦୋଷେ ହେ ।

ଆହେ ଗୌର ଗୁଣମଣି !

ପ୍ରେମମୟ ମୂର୍ତ୍ତି ପ୍ରେମଦାନୀ ହେ ।୧।

 

ତୁମ୍ଭ ଅନୁଗତ, ଯେତେକ ଭକତି,

କିପରି ଧରିବେ ପ୍ରାଣ ହେ ।

ନିଜ ହସ୍ତେ ରୋପି, ତରୁକୁ ବଢ଼ାଇ,

ଏବେ କରୁଛ ଛେଦନ ହେ ।

ଭଲା କି ଉଚିତ !

ଦିବ୍ୟ ଚିତ୍ତେ ବିଚାର କରତ ହେ ।୨।

 

ଭାବ ଫଳ ଫୁଲେ ସୁଶୋଭନ କାଳେ

କେହ୍ନେ କାଟିବ ଏ ତରୁ ହେ ।

ନୁହଇ ପସନ୍ଦ ନବଦ୍ୱୀପ ଚାନ୍ଦ

ଗୌର ବାଞ୍ଛା କଳ୍ପତରୁ ହେ ।

ଶୁଣି ଶ୍ରୀମୁଖ ବଚନ ।

ହୃଦ ହେଉଅଛି ଛିନ୍ନ ଭିନ୍ନ ହେ ।୩।

 

କିବା ନିଶି ଦିନ, ତୁମ୍ଭ ବିନୁ ଆନ,

ନ ଜାଣୁଁ ନଦୀୟାବାସୀ ହେ ।

ତୁମ୍ଭ ବିରହରେ, କେଉଁ ପରକାରେ ?

ବଞ୍ଚିବୁଟି ଗୌର ଶଶୀ ହେ ।

ନିତ୍ୟ ଶୟନ ସ୍ୱପନେ ।

ତୁମ୍ଭ ମୂର୍ତ୍ତି ଦେଖୁ ଆମ୍ଭେମାନେ ହେ ।୪।

 

ସଂସାର ବାସନା, ନ ଲାଗଇ ପ୍ରଭୁ

ତବ ଶ୍ରୀ ପଦ ପ୍ରସାଦୁଁ ହେ ।

ତୁମ୍ଭେ ଛାଡ଼ିଗଲେ, ରହିବୁଁ କି ଭଲେ,

ଦିନ ଯିବ କାନ୍ଦୁ କାନ୍ଦୁ ହେ ।

ପ୍ରଭୁ ! ନୁହ ନିଦାରୁଣ ।

କାନ୍ଦି କହେ ବୈଷ୍ଣବ ଚରଣ ହେ ।୫।

Image

 

(ରାଗ–ମଙ୍ଗଳ ଗୁର୍ଜ୍ଜରୀ, ତାଳ–ଏକତାଳୀ)

 

ଏହି ପ୍ରାୟ ଭାସି ସର୍ବେ ଲୋତକ ସଲିଳେ ।

ଏକାବେଳେ ପଡ଼ିଲେ ଶ୍ରୀ ପାଦ-ପଦ୍ମ ତଳେ ହେ ।୧।

 

କାନ୍ଦନ୍ତି ଗଦ୍‌ଗଦ ସ୍ୱରେ ହୃଦୟ ଫଟାଇ ।

ନ ଯା ଦେଶାନ୍ତର ଦୟାମୟ ବୋଲି କହି ହେ ।୨।

 

କେଉଁ ଭକ୍ତ ଶ୍ରୀଚରଣ ଯୁଗଳକୁ ଧରି ।

ନିଷେଧନ୍ତି ବାରମ୍ବାର ବିନୟ ଆଚରି ହେ ।୩।

 

ଦେଖୁଁ ଦେଖୁଁ ଶୋକସିନ୍ଧୁ ଲହରୀ ବଢ଼ିଲା ।

କେଉଁ ଭକ୍ତ କାନ୍ଦି କାନ୍ଦି ଅଚେତନ ହେଲା ହେ ।୪।

 

ସଭିଙ୍କି ପ୍ରବୋଧି ପ୍ରଭୁ ନଦୀୟା ବିହାରୀ ।

କହନ୍ତି ମଧୁର କଣ୍ଠେ କୋଳାଗ୍ରତ କରି ହେ ।୫।

 

ସେ ଗୌର ଚରଣ ଧୂଳୀ ଲଭିବା ମାନସେ ।

ଦୀନ ଅକିଞ୍ଚନ ବଇଷ୍ଣବ ଦାସ ଭାଷେ ହେ ।୬।

Image

 

(ରାଗ–ବଙ୍ଗଳାଶ୍ରୀ, ତାଳ–ଆଠତାଳୀ)

 

ଭକ୍ତଗଣେ ଚାହିଁ କହନ୍ତି ନିମାଇଁ,

ଆହେ ପରିଷଦ ବର୍ଗ ।

ତୁମ୍ଭେମାନେ ମୋର, ଆତ୍ମୀୟ ନିକର

ତୁମ୍ଭେ ମୋର ଅନୁରାଗ ହେ ।୧।

ଅତ୍ୟନ୍ତ ବିଶ୍ୱାସୀ, ହେ ନଦୀୟା ବାସୀ,

ମନରେ ନକର ଖେଦ ।

ମରମର କଥା, ପ୍ରକାଶିବି ଯଥା,

ଶୁଣ ହୋଇ ନିଶବଦ ହେ ।୨।

କହୁଁ କହୁଁ ଗୋରା, ନେତ୍ରେ ଅଶ୍ରୁଧାରା,

କଣ୍ଠ ସ୍ୱର ଅଧା ଅଧା ।

ସମ୍ଭାଳି ନୁହଇ, କରୁଣ ଭାବହିଁ,

ହୃଦେ ଲଭି ମହା ବାଧା ହେ ।୩।

ବୋଲନ୍ତି ହେ ଭକ୍ତେ, ମୋର ଅନ୍ତର୍ଗତେ,

ଘାରଇ କୃଷ୍ଣ ବିରହ ।

କାହା ସଙ୍ଗ କିଛି, ସୁଖ ନ ଲାଗୁଛି,

ମୋତେ ଜାଣ ଅହରହ ହେ ।୪।

ଅନଳ ସମାନ, ଜନନୀ ବଚନ,

ବିଷ ପ୍ରାୟ ତୁମ୍ଭ ସାଥି ।

କୃଷ୍ଣ ବିନେ ମୋତେ, ନରୁଚେ କିଞ୍ଚିତେ

ଯେ କିଛି ଆହାର ପଥିହେ ।୫।

ଜଳ ବିନେ ମୀନ ହୁଅଇ ଯେସନ,

ଘନ ବିହୀନେ ଚାତକ ।

ପତି ବିନେ ନାରୀ, ଦଶାଟି ଯେପରି,

ମୋର ମନ ସେ ପ୍ରାୟକେ ହେ ।୬।

ଧନ ହୀନେ ଭାବ, ଯେହ୍ନେ ଗୃହାରମ୍ଭ,

କିଛି ନାହିଁ ତହିଁ କାର୍ଯ୍ୟ ।

ବିଦ୍ୟା ହୀନ ନର, ବସେ ଯେ ପ୍ରକାର,

ପଣ୍ଡିତଙ୍କର ସମାଜ ହେ ।୭।

ଶ୍ରୀକୃଷ୍ଣ ବିହୀନ, ଧିକ ଏ ଜୀବନ,

ତିଳେ ନାହିଁ ମନେ ସୁଖ ।

ଏ ସଂସାର ଲୀଳା ଅଟେ ମିଥ୍ୟା ଖେଳା;

କେବଳ ପରମ ଦୁଃଖ ହେ ।୮।

ଏଣୁକରି ମୁହିଁ, ସନ୍ନ୍ୟାସୀ ହେବଇଁ

ଭ୍ରମି ଭ୍ରମି ଦେଶ ଦେଶ ।

ବନ୍ଧୁଙ୍କୁ ଭେଟିବି, ଆନନ୍ଦ ଲଭିବି,

ମନେ ଏହି ଅଭିଳାଷ ହେ ।୯।

ଏତେ ବୋଲି ଗୌର, ନେତ୍ରୁ ଢାଳି ନୀର,

ଲୋଟନ୍ତି ଅବନୀ ପରେ

କିଛିକ୍ଷଣ ପରେ ଉଠିଣ ସତ୍ୱରେ

କହନ୍ତି ହା କୃଷ୍ଣ ହରେ ହେ ।୧୦।

ଶ୍ରୀଅଙ୍ଗରେ ଧୂଳୀ, ହୋଇଛନ୍ତି ବୋଳି,

ମହା ଭାବ ବିନୋଦିୟା

କନ୍ଧରୁ ପଇତା, ବାହାର କରି ତା

ଛିଣ୍ଡାଇ ଫିଙ୍ଗିଲେ କିଆଁ ହେ ।୧୧।

ଅତି ଆର୍ତ୍ତନାଦେ, କୃଷ୍ଣ ବୋଲି କାନ୍ଦେ

ନବଦ୍ୱୀପ ସୁଧାନିଧି ।

ତହିଁ ବେଳୁଁ ବେଳ ବଢ଼ିଲା ପ୍ରବଳ,

ଶ୍ରୀକୃଷ୍ଣ ବିରହ ବ୍ୟାଧି ହେ ।୧୨।

ଦେଖି ସେହି ଭାବ, କା ଦେହ ସହିବ,

ଯା ହୁଅନ୍ତି ଗୌରମଣି ।

ଅତି ଦୀନ ହୀନ, ପାତକୀ ଅଜ୍ଞାନ

ବଇଷ୍ଣବ ଦାସ ଭଣି ହେ ।୧୩।

 

(ରାଗ–କଳସା ତାଳ–ଏକତାଳୀ)

 

ପୁଣି କହନ୍ତି ଗୌରାଙ୍ଗ ଭକ୍ତଗଣେ ଚାହିଁ ।

ଦାରୁଣ ସଂସାର ରୀତି ବିଷମ ଅଟଇ ହେ ।୧।

ବିଷମୟ-ବିଷୟ ଅନଳୁଁ ବଳି ଜାଳେ ।

ଅନ୍ତର ଶୀତଳ ନୁହେଁ କଉଣସି କାଳେ ।୨।

ସଂସାର ଯାତନା ଅଗ୍ନି ପୋଡ଼ଇ ମରମେ ।

ବାଧା ଦିଏ ଶ୍ରୀକୃଷ୍ଣ ଭଜନ ପ୍ରତି ଯାମେ ହେ ।୩।

ଏଣୁ ଭାବିଅଛି ମୁହିଁ କରିବି ସନ୍ନ୍ୟାସ ।

ପରମ ହିତ ହୋଇବ ତୁମର ଅବଶ୍ୟ ହେ ।୪।

ତୁମ୍ଭେମାନେ ସବୁ ମୋର ସୁପ୍ରିୟ ବାନ୍ଧବ ।

ପୁଣି ଶୁଦ୍ଧମତି ଅଟ ପରମ ବୈଷ୍ଣବ ହେ ।୫।

ମୋଠାରେ ନିର୍ଦ୍ଦୟ ଭାବ ନ କର ପ୍ରକାଶ ।

ସକଳେ ସମ୍ମତି ଦିଅ ହୋଇଣ ହରଷ ହେ ।୬।

ଏତେ କହି ଗୌରଚନ୍ଦ୍ର ଲୋଟନ୍ତି ଅବନୀ ।

ଧୂସରିତ ହେମଅଙ୍ଗ ନେତ୍ରୁ ଝରେ ପାଣି ହେ ।୭।

ଶ୍ରୀମୁଖ ପ୍ରସନ୍ନ ତହିଁ ମନ୍ଦ ମନ୍ଦ ହାସ ।

ପଦ୍ମ-ପାଦ ଚିନ୍ତେ ଦୁଃଖୀ ବଇଷ୍ଣବ ଦାସ ହେ ।୮।

Image

 

(ରାଗ–ବଙ୍ଗଳା ଶ୍ରୀ, ତାଳ–ଆଠତାଳୀ)

 

ସକରୁଣ ସ୍ୱରେ, ଅବନୀ ଉପରେ,

ଗଡ଼ନ୍ତି ଗଉର ମଣି ।

ମୁକୁଳିତ କେଶ, ଧୂଳୀ ଜରଜର,

ମୁଖେ ହରି ହରି ଭଣି ହେ ।୧।

ଶ୍ରୀଅଙ୍ଗେ ପୁଲକ, ସଘନେ ନିଶ୍ୱାସ,

ଛାଡ଼ନ୍ତି ବାରକୁ ବାର ।

ଆପଦ ମସ୍ତକ, କମ୍ପାଇ ତାଙ୍କର,

ଗଦ ଗଦ ଅର୍ଦ୍ଧଗିର ହେ ।୨।

କ୍ଷଣେ କାନ୍ଦ କାନ୍ଦ, କ୍ଷଣେ ଯେ ଆନନ୍ଦ,

କ୍ଷଣେ କ୍ଷଣେ ଚମକନ୍ତି ।

କୃଷ୍ଣ ବିରହରେ, ଭାବନ୍ତି କାତରେ,

ବର୍ଣ୍ଣ ବିପରିତ ରୀତି ହେ ।୩।

ମହା ପାଗଳର, ସମ ବିଶ୍ୱମ୍ଭର,

ହୁଅନ୍ତି ଝୁଲାଇ ଶିର ।

ହୁଂକାର ଗର୍ଜ୍ଜନ, ପୁଣି କ୍ଷଣ କ୍ଷଣ,

ନେତ୍ରୁ ବହିଯାଏ ନୀର ହେ ।୪।

ଦେଖି ସର୍ବ ଜନ ଚିନ୍ତାରେ ମଗନ,

ବଢ଼ିଲା ଦୁଃଖର ସିନ୍ଧୁ ।

ବଇଷ୍ଣବ ଦାସ, ବୋଲେ ନିଶ୍ଚେଁ ବାସ

ଛାଡ଼ିବେ ନଦୀୟା-ଇନ୍ଦୁ ହେ ।୫।

Image

 

(ରାଗ–ଚକ୍ରକେଦାର, ତାଳ–ଝମ୍ପା)

 

ଶ୍ରୀ ଗୌରଚନ୍ଦ୍ରଙ୍କ ବଦନ ଚାହିଁ ।

କହନ୍ତି ମୁରାରି ବିନୟୀ ହୋଇ ।୧।

ହେ ପ୍ରଭୁ ସ୍ୱତନ୍ତ୍ର ତୁମ୍ଭେ ସର୍ବଥା ।

ନିଜ ଇଚ୍ଛା କେ କରିବ ଅନ୍ୟଥା ।୨।

ଲୋକ ମନ ବୁଝିବାକୁ ଏପରି ।

ଦୟା ଗୁଣ ଦେଖାଅ ଗୌରହରି ।୩।

ଅନ୍ତରେ ଗୋବିନ୍ଦ ବିରହ-ଦୁଃଖ ।

ଯା କରିବ କର ଯେ ତବ ସୁଖ ।୪।

ତୁମ୍ଭ କଥାରେ କେ ଦେବଟି ବାଧା ।

କେ ଭାଙ୍ଗି ପାରିବ ତୁମ୍ଭ ଶରଧା ।୫।

ତୁମ୍ଭେ ସର୍ବ ଜାଣ ସର୍ବାନ୍ତର୍ଯ୍ୟମୀ ।

କୋଟି ବ୍ରହ୍ମାଣ୍ଡର ତୁମ୍ଭେ ତ ସ୍ୱାମୀ ।୬।

ଜଗତ ହିତେ ଭକ୍ତ ରୂପେ ଧର ।

ଶିବ ବ୍ରହ୍ମା ବନ୍ଦ୍ୟ ଶଚୀ କୁମର ।୭।

ତୁମ୍ଭ ଆଜ୍ଞା ଲଙ୍ଘନେ କା ସାହସ ।

ଭଣେ ଦୀନ ହୀନ ବୈଷ୍ଣବ ଦାସ ।୮।

Image

 

(ଯଥା–ରାଗ, ତାଳ–ତ୍ରିପୁଟା)

 

ମୁରାରିଙ୍କ ଏହି ବାଣୀ, ଶୁଣି ଗୌର ନିଶାମଣି,

ମନ୍ଦେ ହସି କଲେ ଆଲିଙ୍ଗନ ।

ସମ୍ବୋଧନରେ ବିଶେଷ, କରିପ୍ରେମ ପରକାଶ,

କହିଲେ ଯେ ପ୍ରବୋଧ ବଚନ ହେ ।୧।

ଶୁଣ ସର୍ବ ଭକ୍ତଗଣ, ଏବେ କରେ ନିବେଦନ,

ସନ୍ଦେହ ନ କର ମନେ କେହି ।

ମୁହିଁ ଯଥା ତଥା ଗଲେ, ତୁମ୍ଭ ପାଶେ ଅଛି ଭଲେ,

ଏହା ଜାଣ କହିଲି ଫିଟାଇ ହେ ।୨।

ଏମନ୍ତ ମଧୁର ବାଣୀ, ଭକ୍ତଙ୍କ ଆଗରେ ଭଣି,

ହର୍ଷ ଚିତ୍ତେ ବିଦାୟ ସେ ନେଲେ ।

ସନ୍ନ୍ୟାସ କରିବେ ବୋଲି, ମନେ ହେଉଛନ୍ତି ଭାଳି,

ମାତା ଏହା ନ ଜାଣନ୍ତି ଭଲେ ହେ ।୩।

ଶଚୀଙ୍କ ହୃଦୟ ସ୍ଥଳ, ହଠାତ୍ ହେଲା ଆକୁଳ,

ତେଣୁ କିଛି ନ ପାରିଲେ ଜାଣି ।

କହେ ବଇଷ୍ଣବ ଦାସ, ଛାଡ଼ି ସୁଦୀର୍ଘ ନିଶ୍ୱାସ

କେମନ୍ତେ ମୁର୍ଚ୍ଛିବେ ଠାକୁରାଣୀ ହେ ।୪।

Image

 

(ରାଗ–ମଙ୍ଗଳ ଗୁର୍ଜ୍ଜରୀ, ତାଳ–ଏକାତାଳୀ)

 

ଏହି ପ୍ରାୟ ମହାପ୍ରଭୁ ଶଚୀଙ୍କ ନନ୍ଦନ ।

ନିଜର ସନ୍ନ୍ୟାସ କଥା କରିଣ ଗୋପନ ହେ ।୧।

ଗର୍ଭଧାରୀ ଜନନୀ ସ୍ୱପତ୍ନୀ ବିଷ୍ଣୁପ୍ରିୟା ।

କେତେବେଳେ ହେଲେ ତାଙ୍କୁ ନ କହନ୍ତି ଏହା ହେ ।୨।

କେବଳ ଜାଣନ୍ତି ପାରିଷଦ ଭକ୍ତଗଣ ।

ସନ୍ନ୍ୟାସୀ ହୋଇବେ ବୋଲି ନଦୀୟା ମୋହନ ହେ ।୩।

ବେଳୁଁ ବେଳ ପ୍ରକଟ ହୋଇଲା ଏ କାହାଣୀ ।

ହାଟ ବାଟ ଘାଟ ଦାଣ୍ଡ ବଜାରରେ ପୁଣି ହେ ।୪।

ଏକକୁ ଆରେକ ଦେଖି ହୋନ୍ତି କୁହା କୁହି ।

ଶ୍ରୀ ଗୌରାଙ୍ଗଚନ୍ଦ୍ର ଆମ୍ଭ ଯିବେ ଯୋଗୀ ହୋଇ ହେ ।୫।

ନିଶ୍ଚୟ ଏଣିକି ପ୍ରଭୁ ନ ରହିବେ ଘରେ ।

ନବଦ୍ୱୀପ ଶୂନ୍ୟ କରି ଯିବେ ଦେଶାନ୍ତରେ ହେ ।୬।

କଥାବାର୍ତ୍ତା କରି ଲୋକେ ହୁଅନ୍ତି ବିକଳ ।

ଶୁଣି ବଇଷ୍ଣବ ଦାସ ନେତ୍ରୁ ଝରେ ଜଳ ହେ ।୭।

Image

 

(ରାଗ–ବଙ୍ଗଳା ଶ୍ରୀ, ତାଳ–ଆଠତାଳୀ)

 

ସନ୍ନ୍ୟାସ ବାରତା, ଦେବୀ ଶଚୀମାତା,

ଶୁଣିଲେ ଲୋକଙ୍କ ମୁଖୁଁ

ଶିରେ ବଜ୍ରାଘାତ, ପରାୟ ହଠାତ୍

ହୋଇଲେ ସେ ଦେଖୁ ଦେଖୁ ହେ ।୧।

କରିଣ କ୍ରନ୍ଦନ, ହାରିଲେ ଚେତନ,

ହା ହା ରେ ନିମାଇଁ ବୋଲି ।

ଶିରେ ବାରମ୍ବାର, କଚାଡ଼ନ୍ତି କର

ସଚେତନ ଅଶ୍ରୁ ଢଳି ହେ ।୨।

ବାଇଆଣୀ ପରି, ସାହି ସାହି ଫେରି,

ପଚାରନ୍ତି ଯାରେ ତାରେ ।

ସତେ କି ମୋ ନିମା ମୋ ସୁଖ ଗାରିମା

ଭାଙ୍ଗିବ ବିଚାର କରେ ହେ ।୩।

ନବଦ୍ୱୀପ ବାସୀ, କହନ୍ତି ବିଶେଷି,

ଗୌରାଙ୍ଗ ସନ୍ନ୍ୟାସ କଥା ।

ଶୁଣି ବଇଷ୍ଣବ ଚରଣ ନିର୍ଜୀବ,

ପାଷାଣେ କୁଟଇ ମଥା ହେ ।୪।

Image

 

(ରାଗ–କଳସା, ତାଳ–ଏକତାଳୀ)

 

ବ୍ୟାକୁଳ ଚିତ୍ତରେ ନେତ୍ର ଥନ ଥନ କରି ।

ଚଳିଗଲେ ଶଚୀମାତା ଯହିଁ ଗୌରହରି ହେ ।୧।

କରୁଣ ଗଦ୍‌ଗଦ ସ୍ୱରେ କହନ୍ତି ସଧୀରେ ।

ବାବୁରେ ନିମାଇଁ ସତ କହ ମୋ ଆଗରେ ରେ ।୨।

କି ଶୁଣୁଛି ଲୋକ ମୁଖୁଁ ହୃଦ ହଣା ବାଣୀ ।

ସନ୍ନ୍ୟାସୀ ହେବାକୁ ବିଚାରୁଛି ଧନମଣି ରେ ।୩।

ତୁ ମୋ ଏକଇର ବଳା ନୟନ ପିତୁଳି ।

ଜୀବନ ସର୍ବସ୍ୱୀ କଣ୍ଠ ଜମ୍ବୁନଦ ମାଳିରେ ।୪।

ତୋତେ ନ ଦେଖିଲେ କ୍ଷଣେ ଚୌଦିଗ ଅନ୍ଧାର ।

ତୁହି ମୋ କୁଳ-ଚନ୍ଦ୍ରମା ସମ୍ପଦ-ଭଣ୍ଡାର ରେ ।୫।

ସାତ ପାଞ୍ଚ ନାହିଁ ମୋର କୋଳକୁ ନନ୍ଦନ ।

କାହିଁ ଛାଡ଼ିଯିବୁ ଆହା ମୋ ରଙ୍କୁଣୀ ଧନରେ ।୬।

ଏ ବୁଦ୍ଧି କେ ଦେଲା ତୋତେ ବାପରେ ନିମାଇଁ ।

କାହା ବୋଲେ ସନ୍ନ୍ୟାସୀ ହୋଇବୁ କାହିଁପାଇଁ ରେ ।୭।

ଶୁଣିଲା ବେଳରୁ ଘାଣ୍ଟି ହେଉଛି ମୋ ମନ ।

ମୋ ଶିରେ ନ ହୁଏ କିମ୍ପା କୁଳିଶ ପତନ ରେ ।୮।

ତୋ ବଦନ ଚାହିଁ ଚାହିଁ ହରୁଥାଇ ଦୁଃଖ ।

ଅନାଥିନୀ ଜନନୀ କି ନକର ନିରେଖ ରେ ।୯।

କେତେ ଓଷା ବ୍ରତ କରି ପାଇଛି ମୁଁ ତୋତେ ।

ନବଦ୍ୱୀପେ ଭାଗ୍ୟବତୀ ବୋଲନ୍ତି ସମସ୍ତେ ରେ ।୧୦।

ତୁହି ଛାଡ଼ିଗଲେ କେହି ନ ପାଇବେ ସୁଖ ।

ଅଭାଗିନୀ ବୋଲି ମୋରେ ହୋଇବେ ବିମୁଖରେ ।୧୧।

କାନ୍ଦି କାନ୍ଦି କହେ ଦୁଃଖୀ ବଇଷ୍ଣବ ଦାସ ।

ତୋ ବିହୀନେ ନିଶ୍ଚେ ମୁଁ ଗଙ୍ଗାରେ ଦେବି ଝାସରେ ।୧୨।

Image

 

(ରାଗ–ବଙ୍ଗଳା ଶ୍ରୀ, ତାଳ–ଆଠତାଳୀ)

 

ମାତାଙ୍କୁ ପ୍ରବୋଧି, ଗୌର ସୁଧାନିଧି

କହନ୍ତି ଚରଣ ଧରି ହେ ।

ଶୁଣ ଗୋ ଜନନୀ, ମୋ ଦଇନି ବାଣୀ,

ଅନ୍ୟ କିଛି ନ ବିଚାରି ଗୋ ।୧।

ଏ ମିଥ୍ୟା ସଂସାର, କେ ଅବା କାହାର

ଏକା ଶ୍ରୀଗୋବିନ୍ଦ ବିନା ।

କୃଷ୍ଣ ହର୍ତ୍ତା କର୍ତ୍ତା, କୃଷ୍ଣ ପିତା ମାତା

ସବୁରି ଅଟନ୍ତି ସିନା ଗୋ ।୨।

କୃଷ୍ଣ ବନ୍ଧୁ ଜନ, କୃଷ୍ଣ ମାତ୍ର ଧନ,

କୃଷ୍ଣ ଏ ପିଣ୍ଡର ଗତି ।

ମାୟା ମୋହ ଭୁଲି, ମୋତେ ପୁତ୍ର ବୋଲି,

କହୁଛୁ କୃଷ୍ଣ ନ ଚିନ୍ତି ଗୋ ।୩।

ଯେତେକ ସମୟ ମୋର କରୁ ସ୍ନେହ,

ତୁ ତାହା କୃଷ୍ଣେ ସମର୍ପ ।

ଏ କ୍ଷଣ ଭଙ୍ଘୁର, ମାଟି କଳେକର,

ମାଟିରେ ହୋଇବ ଲୋପ ଗୋ ।୪।

ଭଜ ନିରବଧି, କୃଷ୍ଣ ଦୟାନିଧି,

ଛାଡ଼ ଏ ମାୟା ମମତା ।

ଗୌରଚନ୍ଦ୍ର ଗିରେ ଭାସି ନେତ୍ର ନୀରେ

କହନ୍ତି ସେ ଶଚୀମାତା ହେ ।୫।

ଶୋକେ ଜରଜର, ହୃଦୟ ଅସ୍ଥିର,

ବାତ୍ସଲ୍ୟ ମୂର୍ଚ୍ଛିବେ କେହ୍ନେ ।

ଝାଇଁମରା ହୋଇ ପୁତ୍ରେ ନିଷେଧନ୍ତି,

ବଇଷ୍ଣବ ଦାସ ଭଣେ ହେ ।୬।

Image

 

(ରାଗ–କଳସା, ତାଳ–ଏକତାଳୀ)

 

କି ଜ୍ଞାନ ବୁଝାଉ ମୋରେ ଆହାରେ ନିମାଇଁ ।

ସନ୍ନ୍ୟାସ କରିବ ବେଳ ତୋର ଏ ନୁହଇ ରେ ।୧।

ଏ ବୟସେ ନ ଯା ବାପ ଛାଡ଼ି ଘର ଦ୍ୱାର ।

ତୋ ବିହୀନେ କରିବି ମୁଁ ଛାଡ଼ିଣ ଆହାର ରେ ।୨।

ଆହା ଏ କୋମଳ ପାଦେ କେସନେ ଭ୍ରମିବୁ ।

କ୍ଷୁଧାରେ ତୃଷ୍ଣାରେ ଅନ୍ନ କାହାକୁ ମାଗିବୁ ରେ ।୩।

ଲବଣୀ ପୁତ୍ତଳୀ ମୋର ସୁକୁମାର ନିମା ।

ତୁହି ଗଲେ ସରିଯିବ ମୋ ସୁଖ ଗାରିମା ରେ ।୪।

ତୋର ଅଦର୍ଶନେ ଚଉଦିଗ ହେବ ଶୂନ୍ୟ ।

ନିଶ୍ଚଏଁ ଘଟିବ ମୋତେ ଜୀଅନ୍ତା ମରଣ ରେ ।୫।

ସନ୍ତାପ ସିନ୍ଧୁରେ ମୋତେ ନ ଯାଅ ଭସାଇ ।

ମୋ କହିଲା କଥା ମନ ପ୍ରାଣର ନିମାଇଁ ରେ ।୬।

ବିଚାରିଛୁ ଏ ବୟସେ ସନ୍ନ୍ୟାସୀ ହେବାକୁ ।

ଦାରୁଣ ବଚନେ ମୋର ଥରିଯାଏ ବୁକୁ ରେ ।୭।

ଖରାରେ ତରାରେ ବୁଲି ବୁଲି ଦେଶାନ୍ତରେ ।

କେମନ୍ତେ ସହିବୁ କଷ୍ଟ ଏ ସୁନା ଅଙ୍ଗରେ ।୮।

ଏକଇର ବଳା ତୁ ମୋ ନୟନ ସଙ୍ଖାଳି ।

ଦୁଃଖିନୀ ଜୀବନ ଧନ ଗଳା ରତ୍ନମାଳି ରେ ।୯।

ମୁଁ ହତ ଭାଗିନୀ ସିନା ତୋହର ବିହୀନେ ।

କଲବଲ ହୋଇ ମରିଯିବି ବୁଝ ମନେ ରେ ।୧୦।

ଗଙ୍ଗାରେ ଝାସିବି କିବା ଅନଳେ ପଶିବି ।

କହ ବାବୁ କି ପ୍ରକାରେ ଆଉ ମୁଁ ବଞ୍ଚିବି ରେ ।୧୧।

ଯେବେ ଚାଲିଯିବୁ ଗୋରାଚାନ୍ଦ ରେ ତୋ ବିନେ ।

ଝୁରି ଝୁରି ମୁଁ ଜହର ଭରିବି ବଦନ ରେ ।୧୨।

ବଧୂ ବିଷ୍ଣୁପ୍ରିୟା ମୋର ଆଜନମ ସୁଖୀ ।

କଣ୍ଟକ ନଗରୁ ଆସି କେଶବ ଭାରତୀ ।୧୩।

ତୋ ବିରହେ ପିଣ୍ଡରେ ତା ପ୍ରାଣ ରଖିବକି ରେ ।

କିବା ଶିକ୍ଷା ଦେଲେ ତୋରେ ମୋର ସୁନା ହାତୀରେ ।୧୪।

ନିମାଇଁଙ୍କୁ କୋଳକରି ଶୋକଭର ହୋଇ ।

ବ୍ୟଥିତେ କହନ୍ତି ଏତେ ମାତା ଶଚୀ ଆଈରେ ।୧୫।

ଶ୍ରାବଣ ବରଷା ପରି ନେତ୍ରୁ ଝରେ ପାଣି ।

ଦେଖି ବୈଷ୍ଣବ ଦାସରୁ ହୃଦ ହୁଏ ହାଣିରେ ।୧୬।

Image

 

(ରାଗ–ଚକ୍ରକେଦାର, ତାଳ–ଝମ୍ପା)

 

ଶଚୀ ମାତାଙ୍କର ଚରଣ ଧରି ।

ପ୍ରବୋଧି କହନ୍ତି ଶ୍ରୀ ଗୌରହରି ।୧।

 

ନ କାନ୍ଦ ଜନନୀ ବିକଳ ମନେ ।

ମେଲାଣି ଦିଅସି ହର୍ଷ ବଦନେ ।୨।

 

ସୁକଲ୍ୟାଣ କର ହେବି ସନ୍ନ୍ୟାସୀ ।

ନ ହୁଅ ବ୍ୟଥିତ । ଲୋତକେ ଭାସି ।୩।

 

ଦଇନି ଘେନ ମା ନକର ଚିନ୍ତା

ମୋର ଲାଗି ଆଉ ନୁହ ଦୁଃଖିତା ।୪।

 

କାନ୍ଦି କହେ ଦୁଃଖୀ ବୈଷ୍ଣବ ଦାସ ।

ଘଟାଉଛ ଗୋରା କି ସର୍ବନାଶ ।୫।

Image

 

(ରାଗ–କଳସା, ତାଳ–ପହପଟ)

 

ନେତ୍ର ନୀରେ ବକ୍ଷ ତିନ୍ତାଇଣ ଶଚୀ ଆଈ ।

କହନ୍ତି କରୁଣ ସ୍ୱରେ କି କହୁ ନିମାଇଁ ରେ ।୧।

କି ବାଇ ବୁଦ୍ଧି ଧଇଲୁ ଅବା କାହା ବୋଲେ ।

ନଦୀୟା ଅନ୍ଧାର ହେବ ତୁହି ଛାଡ଼ିଗଲେ ରେ ।୨।

ସଭିଙ୍କ ଠାରେ ତୋ ଦୟା ପରା ଜୀବଧନ ।

ଏବେ ମୋର ନିର୍ଦ୍ଦୟ ହେଉଛୁ କି କାରଣରେ ।୩।

ଅତି ଅଲ୍ୟଳ ତୁ ମୋର ସୁକୁମାର ଅସ୍ଥି ।

ବିହି କିମ୍ପା ଏତେ ସରି ହାଦେ କରାଉଛି ବେ ।୪।

ରୂପେ ଗୁଣେ ଧନରେ ତୁ ସଂସାରୁ ସୁନ୍ଦର ।

ମଦନ-ମୋହନ ବେଶ କେଡ଼େ ଚମତ୍କାର ରେ ।୫।

କୁଞ୍ଚିତ କୁନ୍ତଳ କି ମାନଇ ତୋ ପିଠିକି ।

ତାହା କାଟି ପକାଇବୁ ଯାଇ କେଉଁଠିକି ରେ ।୬।

ସୁବାସ ତଇଳ ମାଖି ଥିଲି ତା କଢ଼ାଇ ।

ସେ କେଶ ଛେଦିବୁ ଧନ କାହା ହସ୍ତେ ତୁହି ରେ ।୭।

ସୁଶୀଳ ସୁଶାନ୍ତ ମୋର ସୁବୋଧ ନିମାଇଁ ।

ଛାଡ଼ ଏ ବାଉଳା ବୁଦ୍ଧି ଛାଡ଼ି ନ ଯା କାହିଁରେ ।୮।

ମାଳତୀ ବକୁଳ ଚମ୍ପା ଫୁଲ ଖଞ୍ଜି ଦେଇ ।

ଯେଉଁ ଚିକୁର ଗୁଚ୍ଛେ ତୋ ବେଣୀ ମୁଁ ବାନ୍ଧଇ ରେ ।୯।

ସେ ପରା ଲାବଣ୍ୟ କେଶ କରିବୁ କି ଶୂନ୍ୟ ।

ବିଦାରି ହେଉଛି ହିୟା ଶୁଣି ଏ ବଚନ ରେ ।୧୦।

ମନୋହର ନଟବର ବେଶ କି ମାଧୁରା ।

ବଦଳାଇ ଦେବୁ ସତେ ଅଛୁ କି ବିଚାରି ରେ ।୧୧।

ଯେତେବେଳେ ସଂକୀର୍ତ୍ତନେ ନାଚୁ ଢଳି ଢଳି ।

ସେ ରଙ୍ଗ ଦେଖି ମୋ ଛାତି ଉଠୁଥାଇ ଫୁଲି ରେ ।୧୨।

ଯେତେବେଳେ ବିଦ୍ୟାପୀଠେ ଯାଉ ପୋଥି ଘେନି ।

ସେ ଚାଲି ଦେଖି ସଫଳ କରେ ନେତ୍ର ବେନିରେ ।୧୩।

ଯେତେବେଳେ ଗଙ୍ଗା ତୀରେ କରୁ ବେହରଣ ।

ତା ଦେଖି ମୋ କୋଟି ଦୁଃଖ ହୁଅଇ ହରଣ ରେ ।୧୪।

କେଉଁ ଗୁଣ ବାଉନୀବି ତୋର ଆରେ ଧନ ।

ସର୍ବ ଗୁଣବନ୍ତ ମୋର ଗୌରାଙ୍ଗ ରତନ ରେ ।୧୫।

ମୋ ରାଣଟି ତୋତେ ବାପ ନ ହୁଅ ସନ୍ନ୍ୟାସୀ ।

ଅକାଳେ ଲଗାନା ବାପ ମୋର ଗଳେ ଫାଶି ରେ ।୧୬।

ଶଚୀ ମାତା ଏହିପରି କାନ୍ଦନ୍ତି ଆକୁଳେ ।

ଯେହ୍ନେ ଯଶୋମତୀ ଦଶା ଘଟନ ଗୋକୁଳେ ହେ ।୧୭।

ବାତ୍ସଲ୍ୟମୟୀ ମା ତାଙ୍କ ଶୋକେ କାନ୍ଦି କାନ୍ଦି ।

କହେ ବଇଷ୍ଣବ ଦାସ ଦୁଃଖେ ଧୈର୍ଯ୍ୟ ବାନ୍ଧି ହେ ।୧୮।

Image

 

(ରାଗ–ବଙ୍ଗଳା ଶ୍ରୀ, ତାଳ–ଆଠତାଳୀ)

 

ଜନନୀଙ୍କ ଅସ୍ତ ବ୍ୟସ୍ତ ଭାବ ଦେଖି

କହନ୍ତି ଗୌରାଙ୍ଗ ଶଶୀ ।

ବଇରାଗ୍ୟ ଭାବ ହୃଦରେ ସମ୍ପାଦି

ନୟନୁ ଅଶ୍ରୁ ବରଷି ହେ ।୧।

ନ କାନ୍ଦ ମୋ ଲାଗି ନ କାନ୍ଦ ଜନନୀ ।

ବ୍ୟର୍ଥେ ଗୋ ଆକୁଳ ଭରେ ।

ବାରଣ ନ କର ତୋ ରାଣ ପକାଇ

ମୋର ସନ୍ନ୍ୟାସ ହେବାରେ ଗୋ ।୨।

ଏ ମାୟା ସଂସାରେ କେ ଅବା କାହାର ।

ସର୍ବ ଅଟେ ମିଥ୍ୟାମୟ ।

କେ କାହାର ମାତା କେ କାହାର ପିତା

କେବା କାହାର ତନୟ ଗୋ ।୩।

ପୁତ୍ର ଜ୍ଞାନେ ମୋରେ ଅତ୍ୟନ୍ତ ସ୍ନେହରେ

ପାଳିଛ ମମତା ଭରେ ।

ଭଲେ ହେତୁ କର ମୁଁ ନିକି ତୁମ୍ଭର

ତନୟଟି ଯଥାର୍ଥରେ ଗୋ ।୪।

ଆସିଛି ଏ ଜୀବ ଏକା ଚାଲିଯିବ

ଏକା ଯେ ଅଜଣା ଦେଶେ ।

ପରମ ପୁରୁଷ ଏକମାତ୍ର ସାଥି

ବୁଝ ଆପଣା ମାନସେ ଗୋ ।୫।

ସର୍ବ ଅକାରଣ ଶ୍ରୀକୃଷ୍ଣ ଚରଣ

କେବଳ ସଂସାରେ ସାର ।

କୃଷ୍ଣ ନାମ ବିନେ ଗତି ନାହିଁ ଅନ୍ୟ,

ଏ ସର୍ବ ଶାସ୍ତ୍ର ବିଚାର ଗୋ ।୬।

କୃଷ୍ଣ ବିନା ମାତା ପିଣ୍ଡର କରତା,

କୃଷ୍ଣ ଏକା ପ୍ରାଣ ପତି ।

ଏ ମାୟା ମମତା ଛାଡ଼ି ଆଗୋ ମାତା,

କୃଷ୍ଣ ପଦେ ଦିଅ ମତି ଗୋ ।୭।

ପୁତ୍ର ସ୍ନେହ କରି ଦିବସ ଶର୍ବରୀ

ମୋତେ ଯାହା ଭାବ ମନେ ।

ବୁଝ କିନା ମାତା କି ଲାଭ ନୁହନ୍ତା,

ଶ୍ରୀକୃଷ୍ଣ ନାମ ଭଜନେ ଗୋ ।୮।

ଭଜ କୃଷ୍ଣ ହରି ଅନାୟାସେ ତରି,

ଯିବ ଭବ-ସିନ୍ଧୁ ବାରି ।

ଯେ କୃଷ୍ଣ ବିରହେ ମୋ ଅନ୍ତର ଦହେ,

ସାହା ସେହି ବଂଶୀଧାରୀ ଗୋ ।୯।

ସନ୍ନ୍ୟାସ ନିମନ୍ତେ ଆଜ୍ଞା ଦିଅ ମୋତେ,

ଭ୍ରମି ନୁହ ମାୟା ମୋହେ ।

ମୋର ନିସ୍ତାରଣ ତୁମ୍ଭ ପରିତ୍ରାଣ,

ପଥ ଅନୁସର ମାୟେ ଗୋ ।୧୦।

ଜଗତ ହିତେ ମୁଁ ସନ୍ନ୍ୟାସୀ ହୋଇବି,

ଏଥିକି ନ କର କ୍ଷୋଭ ।

ଏ ମାୟା ମମତା ଦୂରକରି ମାତା,

କୃଷ୍ଣ ନାମେ କର ଲୋଭ ଗୋ ।୧୧।

ଚରଣେ ଜନନୀ ! ଏ ମୋର ଦଇନି,

ଶୁଭେ ଦିଅ ଅନୁମତି ।

ମାତୃ ଆଜ୍ଞା ବିନେ ଯିବଇଁ କେସନେ,

ଏଣୁ କରଇ ବିନତି ଗୋ ।୧୨।

ଶ୍ରୀ ନିମାଇଁ ଚାନ୍ଦ ଧରି ଶଚୀପାଦ,

କରନ୍ତେହ ଅନୁନୟ ।

ନେତ୍ର ଥନେ ଥନେ କରୁଣ ବଚନେ,

ଜନନୀ ହୃଦୟ ଥୟ ହେ ।୧୩।

କେମନ୍ତେ କହିବେ, ଯାଅ ବୋଲି ମାତା,

କିପରି ବଳିବ ସତ ?

ଭାଷେ ଦୀନ ହୀନ ବୈଷ୍ଣବ ଚରଣ

ଗୌର ସନ୍ନ୍ୟାସ ଚରିତ ହେ ।୧୪।

Image

 

(ରାଗ–ଦୀର୍ଘଛାନ୍ଦ, ତାଳ–ତ୍ରିପୁଟା)

 

ନିମାଇଁଙ୍କ ମୁଖଚାହିଁ, ଶୋକ ଗଦଗଦେ ତହିଁ,

ଶଚୀମାତା ହୋଇଣ ଅଧୀରା ।

ମୁଖୁଁ ନ ଷ୍ପୁରଇ ବାଣୀ, ହୃଦୟ ହୁଅଇ ହାଣି,

ନେତ୍ରୁ ବହିଯାଏ ଅଶ୍ରୁଧାରା ହେ ।୧।

ଭାଳନ୍ତି ବିସ୍ମୟ ମନେ, ଅତି ବିରସ ବଦନେ,

ଧନକୁ ମୋ ମୂର୍ଚ୍ଛିବି କେମନ୍ତେ ।

ଜଗତ ମଙ୍ଗଳ ପାଇଁ, ସନ୍ନ୍ୟାସୀ ହେବ ନିମାଇଁ,

ନିଷେଧିନି ଅବା କେଉଁ ମତେ ।୨।

ଶ୍ରୀ ଗୌରଙ୍କ ମୁଖ ଶଶୀ, ଏକ ଦୃଷ୍ଟିରେ ନିରେଖି

ମାନସରୁ ମାୟାକଲେ ଦୁର ।

ସର୍ବ ଜୀବେ ଏକ ଭାବି, ମୌନ ହେଲେ ଶଚୀଦେବୀ

ବଦନରୁ ନଇଲା ଉତ୍ତର ହେ ।୩।

ସେହି କ୍ଷଣେ ସ୍ୱକୁମରେ, ମାତା କୃଷ୍ଣ ବୁଦ୍ଧି ଧରେ,

ନଦୀୟା ଚାନ୍ଦଙ୍କ ମାୟା ବଳେ ।

ବିଚାରିଲେ ମନେ ମନେ, ପାଇଛି ମୁଁ ପୁତ୍ର ଜ୍ଞାନେ,

ଜଗତନାଥଙ୍କୁ ପୁଣ୍ୟ ଫଳେ ହେ ।୪।

ଏତେ ଚିତ୍ତେ ଅନୁମାନି, ସୌଭାଗ୍ୟବତୀ ଜନନୀ,

ମୃଦୁ ସ୍ୱରେ ଭାଷିଲେ ବଚନ ।

ଆହାରେ ମୋର ନିମାଇଁ ସ୍ୱତନ୍ତ୍ର ଈଶ୍ୱର ତୁହି,

ମାୟାମୟ ପୁରୁଷ ରତନ ରେ ।୫।

ମୋର ଭାଗ୍ୟେ ଯେତେଦିନ, ବଶ ହୋଇଥିଲୁ ଧନ,

ଏଣିକି ସେ ଆଶା ନାହିଁ ଆଉ ।

ସ୍ୱଇଚ୍ଛାରେ ତ ସନ୍ନ୍ୟାସ- ବ୍ରତେ ବଳାଇଛୁ ଆଶ,

ନିଷେଧି ପାରଇ ତୋତେ କାହୁଁରେ ।୬।

ଏତିକି ମୋ ମନେ ଦୁଃଖ, କାହିଁ ଲୁଚାଇବୁ ମୁଖ,

ଆରେ ବାପ ମୋର ସୁନା ଗୋରା ।

ଏ ଧନ ସମ୍ପଦେ ମୋର, ଆଉ କିବା ଦରକାର,

ତୁହି ସିନା ନୟନ ପସରା ରେ ।୭।

ସାତ ପାଞ୍ଚ ନାହିଁ ବୋଲି, ତୁ ମୋ ଜୀବନ ସଙ୍ଖାଳି,

ଏକଇର ବଳାରେ ନିମାଇଁ ।

ଆହା ମୋ କୁଳର ନିଧି, କହ କରିବି କି ବୁଦ୍ଧି,

ଦଶ ଦିଗ ଅନ୍ଧାର ଦିଶଇ ରେ ।୮।

ଏତେ ବୋଲି ଘନ ଘନ, ଶଚୀ କରନ୍ତି କ୍ରନ୍ଦନ,

ନେତ୍ରୁ ବହିଯାଏ ଅଶ୍ରୁ ଧାରା ।

ଦେଖି ବିଷ୍ଣୁ ପ୍ରିୟା ନାଥ, ହେଠ କରି ନିଜ ମାଥ,

ସହି ନ ପାରନ୍ତି ଶୋକଭାରା ହେ ।୯।

ପ୍ରବୋଧି କହନ୍ତି ପୁଣି ଧରି ମାତା ପାଦ ବେନି,

ସକୁରଣ-ସ୍ୱରେ ଗୌର ହରି ।

ସେ ଗୌରାଙ୍ଗ ପଦସରି, ନେତ୍ର ଯୁଗେ ଅଶ୍ରୁ ଭରି,

ବଇଷ୍ଣବ ଦାସ ହୁଏ ଝୁରି ହେ ।୧୦।

Image

 

(ରାଗ–ମଙ୍ଗଳ, ତାଳ–ଏକତାଳୀ)

 

ମାତାଙ୍କୁ ନାନା ପ୍ରକାରେ ପ୍ରବୋଧି ନିମାଇଁ ।

ବୋଲନ୍ତି ଶୋକ ସମ୍ଭାଳ ଶୁଣ ଯା କହଇ ଗୋ ।୧।

ମୋ ଲାଗି ନ କର ଚିନ୍ତା ଘେନ ନିବେଦନ ।

ଯେ କାଳେ ଭାବିବ ମୋତେ ପାଇବ ଦର୍ଶନ ଗୋ ।୨।

ଯହିଁ ତହିଁ ଗଲେ ତୁମ୍ଭ ନିକଟେ ମୁଁ ଅଛି ।

ଜନନୀ ଗୋ ମନେ ଅନ୍ୟ ନ ବିଚାର କିଛି ଗୋ ।୩।

ତୁମ୍ଭେ ସେହି ଯଶୋମତୀ ମୁଁ ସେହି କହ୍ନାଇ ।

ଏ ଯୁଗେ ମୁଁ ତୁମ ସୁତ ଗୌରାଙ୍ଗ ନିମାଇଁ ଗୋ ।୪।

ସେ ବେଳ ମଥୁରା ଯାତ୍ରା ଏ ବେଳ ସନ୍ନ୍ୟାସ ।

କେତେ କାନ୍ଦିଛ ମୋ ଲାଗି ଆକୁଳେ ଅବଶ୍ୟ ଗୋ ।୫।

ଦାରୁଣ ସନ୍ତାପେ ଆଉ ଘାରି ନୁହ ମାତ ।

ବିଦାୟ ଦିଅ କୁଶଳେ ଘେନି ପ୍ରଣିପାତ ଗୋ ।୬।

ହୃଦୟ ମନ୍ଦିରେ ମାତ ଦେଖୁ ଥାଅ ମୋତେ ।

ଶୁଭେ ଅନୁମତି ଦିଅ ସନ୍ନ୍ୟାସ ନିମନ୍ତେ ଗୋ ।୭।

ଏହି ମତେ ଗୌରହରି କହନ୍ତି ପ୍ରବୋଧି ।

ଶୁଣି ବୈଷ୍ଣବ ଦାସର ହଜି ଯାଏ ବୁଦ୍ଧି ହେ ।୮।

Image

 

(ରାଗ–ଦୀର୍ଘଛାନ୍ଦ, ତାଳ–ତ୍ରିପୁଟା)

 

ନିମାଇଁ ଚାନ୍ଦଙ୍କ ବାଣୀ, ଶୁଣି ଶଚୀ ଠାକୁରାଣୀ

ଧୈର୍ଯ୍ୟ ଧରି ସମ୍ଭାଳିଲେ ଶୋକ ।

ମନକୁ ମନ ବୁଝାଇ ଦୀର୍ଘ ନିଶ୍ୱାସ ପକାଇ

ବାସାଞ୍ଚଳେ ପୋଛନ୍ତି ଲୋତକ ହେ ।୧।

ବୋଲନ୍ତି ଆରେ ନିମାଇଁ ନିର୍ମାଖୀ ମୋ ପରି ନାହିଁ

ଜାଣିଲି ମୁଁ ଏତେ ଦିନେ ଧନ ।

ବିଷ୍ଣୁପ୍ରିୟା ବଧୂ ମୋର ତୋ ବିହୁନେ କି ପ୍ରକାର

ପିଣ୍ଡେ ତାର ରଖିବ ଜୀବନ ରେ ।୨।

ଛାଡ଼ି ନାହିଁ ବାଲ୍ୟ ଦଶା ନବ ଯୌବନା ସହସା

ସହିବକି ଦାରୁଣ ବିରହ ।

ଏକେ ଅଲ୍ୟଳା ସୁନ୍ଦରୀ ଆଜନମ ସୁକୁମାରୀ

କେସନ ବଞ୍ଚିବ ମୋତେ କହ ରେ ।୩।

ଏପରା ପତ୍ନୀକି ତୋର ବୁଝାଇବି କି ପ୍ରକାର

ନ ଦିଶଇ ବୁଦ୍ଧି ବାଟ ମୋତେ ।

ତାକୁ ଯାହା ଯିବୁ ଛାଡ଼ି ହୋଇ ସେ କୋଡ଼ି କଚାଡ଼ି

ବ୍ୟାକୁଳ ନ ହୋଇବଟି କେତେ ରେ ।୪।

ଆରେ ମୋ ଅଞ୍ଚଳ ନିଧି ଯାଅ ତାହାକୁ ପ୍ରବୋଧି

ଯେମନ୍ତେ ସେ ନ ହୋଇବ ଝୁରି ।

କହେ ବଇଷ୍ଣବ ଦାସ ଦାରୁଣ ବିଚ୍ଛେଦ କ୍ଲେଶ

ଜଳନ୍ତା ଅନଳୁ ବଳିକରି ।୫।

Image

 

(ରାଗ–କଳସା ତାଳ–ପହପଟ)

 

ମାତାଙ୍କୁ ପ୍ରବୋଧ ଦେଇ କହନ୍ତି ନିମାଇଁ ।

ନ କର ତିଳାର୍ଦ୍ଧ ଚିନ୍ତା ମାତ ଏଥିପାଇଁ ଗୋ ।୧।

ଶାସ୍ତ୍ର ବଚନେ ବୋଧିବି ବିଷ୍ଣୁପ୍ରିୟା ମନ ।

ପରମାର୍ଥ ତତ୍ତ୍ୱମର୍ମ୍ମ ଯାବତ ବିଧାନ ଗୋ ।୨।

ଦେବଇଁ ବୈରାଗ୍ୟ ପୂର୍ଣ୍ଣ ହିତ ଉପଦେଶ ।

ଯେହ୍ନେ ବିଷ୍ଣୁପ୍ରିୟା ଝୁରି ନ ହୋଇବ ଲେଶ ଗୋ ।୩।

ସତୀ ସ୍ୱାଧ୍ୱୀ ସୁଲକ୍ଷଣା ଧର୍ମ୍ମ ପରାୟଣା ।

ତାହାର ଚରିତ୍ର ରୀତି ଅଛି ମୋତେ ଜଣା ଗୋ ।୪।

ପୂର୍ବରୁ କଥା ପ୍ରସଙ୍ଗେ କହିଛି ତାହାକୁ ।

ବିଶେଷେ ଦେଖାଇ ପ୍ରେମ ଭକତି ରାହାକୁ ଗୋ ।୫।

ଅବୋଧିନୀ ନୁହଇ ସେ ଅଛି ଦିବ୍ୟଜ୍ଞାନ ।

ନିଶ୍ଚୟ ଧଇର୍ଯ୍ୟ ଧରି ସୁଖେ ନେବ ଦିନ ଗୋ ।୬।

ସୁଶିକ୍ଷିତା ଅତ୍ୟନ୍ତ ସୁଶୀଳା ବିଷ୍ଣୁପ୍ରିୟା ।

ତା ପାଇଁ ନ ଭାଳ କିଛି ଦମ୍ଭ କର ହିୟା ଗୋ ।୭।

ଏମନ୍ତ ପ୍ରକାରେ ଗୌରଚନ୍ଦ୍ରମା ନିମାଇଁ ।

ଶଚୀ ମାତାଙ୍କୁ ଅନେକ କହିଲେ ବୁଝାଇ ହେ ।୮।

ମଉନ ହୋଇଲେ ଶୁଣି ସେ ମିଶ୍ର ଘରଣୀ ।

ଉତ୍ତର ଦେବାକୁ କିଛି ନ ସ୍ଫୁରିଲା ବାଣୀ ହେ ।୯।

ସେ ପୁତ୍ର ବତ୍ସଳାଙ୍କର ଶ୍ରୀଚରଣ ଧୂଳି ।

ଆପେ ଶ୍ରୀ ନିମାଇଁ ଚାନ୍ଦ ଶିରେ ହେଲେ ବୋଳି ହେ ।୧୦।

ତହୁଁ ତ୍ରିବାର ପ୍ରଣମି ହୋଇଲେ ବାହାର ।

ନିଜ ବିଳାସ ଭବନେ ପ୍ରଭୁ ବିଶ୍ୱମ୍ଭର ହେ ।୧୧।

ବିଜୟ କଲେ ସାନନ୍ଦେ ପଲଙ୍କ ଉପରେ ।

ସତୀ ବିଷ୍ଣୁପ୍ରିୟାଙ୍କର ମନ ବିଡ଼ିବାରେ ହେ ।୧୨।

ଏସନ ସମୟେ ତହିଁ ପ୍ରଭୁଙ୍କ ପ୍ରେୟସୀ ।

ପାଦପଦ୍ମେ ନମସ୍କାର କଲେ ଶୁଭ୍ରକେଶୀ ହେ ।୧୩।

ସେ ପ୍ରେମ ଦମ୍ପତିଙ୍କର ଚରଣେ ଶରଣ ।

ମାଗଇ ଅଧମ ଦାସ ବୈଷ୍ଣବ ଚରଣ ହେ ।୧୪।

Image

 

(ରାଗ–ଲଘୁକେଦାର, ତାଳ–ଝମ୍ପା)

 

ବିଷ୍ଣୁପ୍ରିୟା ହରଷ ବିରସେ

ବସି ନିମାଇଁଙ୍କ ପଦ ପାଶେ

।୧।

ସୁଦୀର୍ଘ ନିଶ୍ୱାସ ତ୍ୟାଗ କରି

ନିରେଖି ଶ୍ରୀମୁଖ ଚନ୍ଦ୍ର ଶିରୀ

।୨।

କାତରେ କମ୍ପାନ୍ତି କଳେବର

ମୁଖରଖି ପ୍ରଭୁ ବକ୍ଷପର

।୩।

କଣ୍ଠ ବାନ୍ଧି ଭୁଜଲତା ଯୁଗେ

ଅତିଶୟ ପ୍ରୀତି ଅନୁରାଗେ

।୪।

ବେନି ନୟନରୁ ଲୁହ ଧାର

ବହିଯାଏ ହୋଇ ଖରତର

।୫।

ସେ ଲୋତକେ ତିନ୍ତେ ହୃଦବାସ

ଅନ୍ତରେ ଲଭି ମହାପ୍ରାଶ

।୬।

ପୁଚ୍ଛନ୍ତେ ପ୍ରଭୁଙ୍କ ଅଭିପ୍ରାୟ

ଆକୁଳେ ପରାଣ ନୁହେ ଥୟ

।୭।

ଗଦ ଗଦ ଅଧ ଅଧ ବାଣୀ

କ୍ଷଣେ କ୍ଷଣେ ଅଚେତନ ପୁଣି

।୮।

କହି ନ ପାରନ୍ତି ମନକଥା

ଅସହନ ସେ ଦାରୁଣ ବ୍ୟଥା

।୯।

ଏ ରୀତିକି ଦେଖି ଶ୍ରୀ ନିମାଇଁ

ନେତ୍ର ଯୁଗେ ଲୋତକ ଜମାଇ

।୧୦।

ପ୍ରବୋଧନ୍ତି ପ୍ରାଣପ୍ରିୟା ମନ

କିମ୍ପାଇ ଏପରି ହେଉ ଧନ

।୧୧।

କହ କହ ମନ କଥା ଫେଇ

କି ଲାଗି ଦୁଃଖିତ ପ୍ରିୟସହୀ

।୧୨।

ପ୍ରଭୁଙ୍କ ଶ୍ରୀମୁଖ ବାକ୍ୟ ଶୁଣି

କରୁଣ କ୍ରନ୍ଦନେ ଠାକୁରାଣୀ

।୧୩।

ଶ୍ରୀଚରଣ ଧରି ପଚାରନ୍ତି

କହ ନାଥ ପ୍ରକୃତ ଭାରତୀ

।୧୪।

କି ଶୁଣୁଛି ଲୋକ ମୁଖୁଁ ମୁହିଁ

କହ ମୋର ମୁଣ୍ଡେ ହାତ ଦେଇ

।୧୫।

ତୁମ୍ଭେ ନିକି ହୋଇବ ସନ୍ନ୍ୟାସି

କଥା ହୋନ୍ତି ଏ ନଦୀୟାବାସୀ

।୧୬।

ଶୁଣି ଛାତି ଫାଟିଯାଏ ମୋର

ଦିଅ ପ୍ରଭୁ ଯଥାର୍ଥ ଉତ୍ତର

।୧୭।

ଦୁଃଖୀ ବଇଷ୍ଣବ ଦାସ ଭାଷେ

ସଂସାର ଛାଡ଼ିବି କି ସକାଶେ

।୧୮।

Image

 

(ରାଗ–ଚକ୍ରକେଦାର, ତାଳ–ଝୁଲା)

 

ବାରମ୍ବାର ପ୍ରଭୁ ଚରଣ ଧରି

ଶୋକ ଭରେ ବିଷ୍ଣୁପ୍ରିୟା ସୁନ୍ଦରୀ

।୧।

ବୋଲନ୍ତି ହେ ମୋର ପ୍ରାଣବଲ୍ଲଭ

ଦେଶନ୍ତରେ ତୁମ୍ଭେ ଯିବେ ହେ ଯିବ

।୨।

ଏ ଛାର ଜୀବନେ କି କାର୍ଯ୍ୟ ମୋର

ନିଶ୍ଚୟ ମରିବି ଖାଇ ଜହର

।୩।

ଶୁଣିଲା ବେଳୁ ଏ ଦୁଃଖ ସମ୍ବାଦ

ସନ୍ତାପ ଅନଳେ ଜଳେ ମୋ ହୃଦ

।୪।

ତୁଟାଇବ କି ମୋ ଆଶା ଭରସା

ଘଟାଉଛ ଆଣି ଏକି ଦୁର୍ଦ୍ଦଶା

।୫।

ଧିକ ମୋହର ଏ ଦେହ ଯୌବନ

ଅଦୃଷ୍ଟରେ ଅଛି କି ହୀନିମାନ

।୬।

ଶିରିଷ କୁସୁମ ଜିଣି କୋମଳ

ଶ୍ରୀରଙ୍ଗ ରାଜୀବ ଚରଣ ତଳ

।୭।

ମଞ୍ଚାଳିବି ନାହିଁ ଯଦି ମୁଁ ଆଉ

ଧିକ ଏ ଜୀବନ ପରାଣ ଯାଉ

।୮।

ସୁଖମୟ ମୁଖ ଇନ୍ଦୁ ତୁମ୍ଭର

କାହିଁ ଲୁଚାଇବ ହେ ପ୍ରାଣେଶ୍ୱର

।୯।

ସୁକୁମାର ଏହି ମୃଦୁ ଚରଣେ

ଭ୍ରମିବ କେମନ୍ତେ କଣ୍ଟକ ବଣେ

।୧୦।

ଏ ଦାସକି ଦେଇ ଦାରୁଣ ଦୁଃଖ

ଅରଜିବ ନାଥ କେବଣ ସୁଖ

।୧୧।

ବୃଦ୍ଧା ଜନନୀଙ୍କି କାହାକୁ ଦେଇ

କେଉଁଆଡ଼େ ଯିବ ହେ ପ୍ରାଣସାଇଁ

।୧୨।

ନାହିଁକି ହେ ଧର୍ମ ଭୟ ତୁମ୍ଭର

ହୃଦୟ କରୁଛ କେଡ଼େ ନିଷ୍ଠୁର

।୧୩।

ତୁମ୍ଭ ଭକ୍ତ ସଂକୀର୍ତ୍ତନୀୟା ଗଣେ

କିପରି ବଞ୍ଚିବେ ତବ ବିହୁନେ

।୧୪।

ନଦୀୟା ନଗରବାସୀଏ ଯେତେ

ତୁମ୍ଭଙ୍କୁ ଝୁରି ମରିବେ ସମସ୍ତେ

।୧୫।

ତୁମ୍ଭ ବିନେ ଆହେ ଜୀବନକର୍ତ୍ତା

କେ ଜାଣିବ ମୋର ଅନ୍ତରବ୍ୟଥା

।୧୬।

ତୁମ୍ଭ ବିଚ୍ଛେଦ କି ପାରିବି ସହି

ଦଂଶିବ ମରମେ ବିରହ ଅହି

।୧୭।

ନ କର ଏମନ୍ତ ବିଚାର ବନ୍ଧୁ

ତୁମ୍ଭ ପରା ପ୍ରଭୁ କରୁଣା ସିନ୍ଧୁ

।୧୮।

ସେ ଦୟାମାୟା କି ଛାଡ଼ୁଛ ଦନୁ

ହେ ନାଥ କଷିତ କାଞ୍ଚନ ତନୁ

।୧୯।

ମୋ ରାଣଟି ପ୍ରଭୁ ନୁହ ସନ୍ନ୍ୟାସୀ

କହେ ବଇଷ୍ଣବ ବରଜଦାସୀ

।୨୦।

Image

 

(ରାଗ–ମଙ୍ଗଳ ଗୁର୍ଜ୍ଜରୀ, ତାଳ–ଏକତାଳୀ)

 

ବିଷ୍ଣୁପ୍ରିୟାଙ୍କର ମୁଖୁ ଏ ବଚନ ଶୁଣି ।

ଅଶେଷ କରି କହନ୍ତି ଓଷ୍ଠେ ଦେଇ ପାଣି ହେ ।୧।

ମୃଦୁ ହାସେ ସମ୍ବୋଧନ କରି ନାନାମତେ ।

ପ୍ରବୋଧି ବାକ୍ୟେ ମଧୁରେ ବୁଝାନ୍ତି ସେ କେତେ ହେ ।୨।

ବାସାଞ୍ଚଳେ ପ୍ରିୟା ମୁଖ ପୋଛି ବାରମ୍ବାର ।

ରସେ ମଜାଇଲେ ରସ କୌତୁକ ନାଗର ହେ ।୩।

ମିଛେ ଦୁଃଖ କର କିମ୍ପା ପରାଣ ପ୍ରେୟସି ।

କେ କହିଲା ତୁମ୍ଭ ଆଗେ ହେବି ମୁଁ ସନ୍ନ୍ୟାସୀ ଗୋ ।୪।

ଯେ କାଳେ ସନ୍ନ୍ୟାସୀ ହେବି କହିବି ନାହିଁ କି ?

ବୃଥା ସଖୀ ! ମନ ଊଣା କରୁଛ କାହିଁକି ଗୋ ।୫।

ଏତେ ବୋଲି ଗୌରହରି ନଦୀୟା ମୋହନ ।

ଚନ୍ଦ୍ର ଖଣ୍ଡ ଗଣ୍ଡସ୍ଥଳେ ମଣ୍ଡିଲେ ଚୁମ୍ବନ ହେ ।୬।

ଲୀଳା ଲାବଣ୍ୟ ଲହରୀ ପ୍ରଭୁ ଗୌରଶଶୀ ।

ପ୍ରେମ ଆଳାପରେ ପ୍ରାଣପ୍ରିୟା ମନ ତୋଷି ହେ ।୭।

ବିନୋଦ ବିଳାସ ରସ ଶୃଙ୍ଗାରେ ମଜ୍ଜିଲେ ।

ସତୀ ବିଷ୍ଣୁପ୍ରିୟା ମନୁ ଦୁଃଖ ବରଜିଲେ ହେ ।୮।

ନିଶି ଶେଷ ଯାମେ ପୁଣି କାନ୍ତ କର ଧରି ।

ପଚାରିଲେ ବିଷ୍ଣୁପ୍ରିୟା ସବିନୟ କରି ହେ ।୯।

ଆହେ ନାଥ ସତ କହ ମୋର ଦେହ ଛୁଇଁ ।

ସନ୍ନ୍ୟାସୀ ହେବାକୁ ମନ କାହିଁକି ବଳଇ ହେ ।୧୦।

ଅନୁମାନେ ଜାଣୁଛି ମୁଁ ତୁମ୍ଭର ଚାତୁରୀ ।

ଅଗୋଚରେ ଯିବ ପରା ମୋତେ ଛାଡ଼ିକରି ହେ ।୧୧।

ନଦୀୟା ନଗରଯାକ ପଡ଼ିଅଛି ହୁରି ହେ ।

ସାହି ପଡ଼ୋସୀଙ୍କ ମୁଖୁଁ ଶୁଣୁଛି ଆହୁରି ହେ ।୧୨।

ତୁମ୍ଭର ସଂସାର ତ୍ୟାଗ ବାରତା ଅନଳ ।

ହୃଦକୁ ଜାଳୁଛି ମୋର ସନ୍ତତେ କେବଳ ହେ ।୧୩।

କପଟ ନ କରି ମୋରେ କହ ପ୍ରାଣଧନ ।

ତୁମ୍ଭେ ଗଲେ କେଉଁପରି ଧରିବି ଜୀବନ ହେ ।୧୪।

ଯେବେ ଗୃହ ତ୍ୟାଗି ହେବ ବିଚାରିଛ ଚିତ୍ତେ ।

ସନ୍ନ୍ୟାସିନୀ କରି ପ୍ରଭୁ ସଙ୍ଗେ ନିଅ ମୋତେ ହେ ।୧୫।

ତୁମ୍ଭେ ଯୋଗୀ ହେଲେ ମୁଁ ହେବି ଯୋଗିଆଣୀ ।

କାହିଁକି ବା ଏ ଗୃହେ ରହିବି ପ୍ରାଣମଣି ହେ ।୧୬।

କି ସୁଖ ପାଇଁକି ଅବା ରଖିବି ଜୀବନ ।

ଆକାରଣ ହେବ ସିନା ଏ ନବ ଯୌବନ ହେ ।୧୭।

ବିଷ୍ଣୁପ୍ରିୟାଙ୍କର ମୁଖୁଁ ଶୁଣି ଏ ବଚନ ।

ସାନ୍ତ୍ୱନା ଦେଇ କହନ୍ତି ଗୌର ଭଗବାନ ହେ ।୧୮।

ସେ ପ୍ରେମ ଦମ୍ପତିଙ୍କର ପାଦପଦ୍ମ ଚିନ୍ତି ।

ଅଧମ ବୈଷ୍ଣବ ଦାସ ବିଚରଇ ଗୀତି ହେ ।୧୯।

Image

 

(ରାଗ–ବଙ୍ଗଳା ଶ୍ରୀ, ତାଳ–ଆଠତାଳୀ)

 

ବିଷ୍ଣୁପ୍ରିୟା ମୁଖ, ଚାହିଁ ପଦ୍ମମୁଖ,

ଶ୍ରୀ ନିମାଇଁ କହୁଛନ୍ତି ।

ଶୁଣ ପ୍ରାଣେଶ୍ୱରୀ, ନବୀନ କିଶୋରୀ,

ଏବେ ଯଥାର୍ଥ ଭାରତୀ ଗୋ ।୧।

ତୁମ୍ଭ ମନେ ଦୁଃଖ, ନ କର ଲୋତକ,

ପୂରାଇ ନୟନ ଯୁଗେ ।

ହେବଇଁ ସନ୍ନ୍ୟାସୀ, ଆଗୋ ବିଧୂହାସୀ,

କୃଷ୍ଣ ପ୍ରେମ ଅନୁରାଗେ ଗୋ ।୨।

ନ ଜାଣିକି ମୁହିଁ, ଗୋପର କହ୍ନାଇଁ,

ନନ୍ଦ ଯଶୋଦାଙ୍କ ବତ୍ସି ।

ଏ କଳି ଯୁଗରେ, ରାଧିକା ଭାବରେ,

ନିମାଇଁ ନାମ ବହିଛି ଗୋ ।୩।

ବୃଷଭାନୁ ସୁତା, ପ୍ରେମ କଳ୍ପଲତା,

ରସମୟୀ ବିନୋଦିନୀ ।

ତାର ତିନି ୠଣ, ସୁଝିବା କାରଣ,

ମୋ ଅବତାର ମିତଣୀ ଗୋ ।୪।

ରାଧା ପ୍ରେମ ରାଧା- କାନ୍ତିରେ ଶରଧା,

ରାଧା ଭାବେ ଜରଜର ।

ପ୍ରେମ ଭକ୍ତି ଲୀଳା, ପ୍ରକଟନେ ଭୋଳା,

ମୁଁ ସିନା ନିଶି ବାସର ଗୋ ।୫।

ରାଧା ନାମ ଗାନେ, କୀର୍ତ୍ତନ ବିଧାନେ,

ନବଦ୍ୱୀପ ନବଲୀଳା ।

କଲଇଁ ଭିଆଣ ଘେନି ଭକ୍ତଗଣ

ଶ୍ରୀବାସ ଅଙ୍ଗଣେ ମେଳା ଗୋ ।୬।

ଏହି ସଂକୀର୍ତ୍ତନ ନ ହୋଇବ ଶୂନ୍ୟ

ନଦୀୟା ନଗରୁ ପ୍ରିୟେ ।

ହରି ନନାମ ଶୁଣି ଦିବସ ରଜନୀ

ହରିବ ତୁମ୍ଭେ ନିଶ୍ଚଏଁ ଗୋ ।୭।

ଯେତେବେଳେ ମୋତେ ଭାବିବ ଗୋ ଚିତ୍ତେ

ସେ କାଳେ ଦର୍ଶନ ହେବି ।

ବିଅର୍ଥରେ ଧନ ନ ଶୁଖା ବଦନ

କାଲି ମୁଁ ସନ୍ନ୍ୟାସୀ ହେବି ଗୋ ।୮।

କୃଷ୍ଣ ନାମେ ରସି ଘରେ ଥାଅ ବସି

ଛାଡ଼ ମୋର ପ୍ରତି ଆଶା ।

ସନ୍ତାପ ସିନ୍ଧୁରେ ପରାଣ ବନ୍ଧୁରେ

ନ ଲଭ ଦାରୁଣ ଦଶା ।୯।

ତୁମ୍ଭ ସ୍ନେହ ପ୍ରୀତି ଅମୂଲ୍ୟ ସମ୍ପତି

ପାସୋରିବି ନାହିଁ ମନୁ ।

ଯହିଁ ତହିଁ ଥିଲେ ତୁମ୍ଭ ପାଶେ ଭଲେ

ଅଛିଟି ଜାଣ ସୁତନୁ ଗୋ ।୧୦।

ଏତେ ବୋଲି ଗୌର ଭକ୍ତ ଚିତ୍ତ ଚୌର

ପ୍ରିୟାଙ୍କୁ ପ୍ରବୋଧ ଦେଇ ।

କଲେ ଆଲିଙ୍ଗନ ଭୁବନ ମୋହନ

ରସେ ମାନସ ଭୁଲାଇ ହେ ।୧୧।

ଚଳିବେ ନିଶାନ୍ତେ ସନ୍ନ୍ୟାସ ନିମନ୍ତେ

ନ ଜାଣନ୍ତି ବିଷ୍ଣୁପ୍ରିୟା ।

ଚିନ୍ତି ସେହି କଥା ଭ୍ରମାଉଛି ମଥା

ବୈଷ୍ଣବ ଦାସ ବାଇଆ ହେ ।୧୨।

Image

 

(ରାଗ–କଳସା, ତାଳ–ଆଠତଳୀ)

 

ପ୍ରାଣକାନ୍ତ ନିମାଇଁଙ୍କ ସାନ୍ତ୍ୱନା ବଚନେ ।

ସତୀ ବିଷ୍ଣୁପ୍ରିୟା ଶାନ୍ତ ହେଲେ ଭାବି ମନେ ହେ ।୧।

ଆଜନମ ସୁକୁମାରୀ ସେ କାଞ୍ଚନ ଲତା ।

ପହୁଡ଼ିଲେ ଶେଯେ ହୋଇ ନିଦ୍ରା ଅଭିଭୂତା ହେ ।୨।

କୋମଳ କର ପଲ୍ଲବ ପ୍ରଭୁ ଅଙ୍ଗେ ଦେଇ ।

ଶୟନ କରି ଅଛନ୍ତି ନିଦ୍ରାରେ ଘୁମାଇଁ ହେ ।୩।

ପତିପ୍ରାଣା ଅବଳା ଅଲ୍ୟଳୀ ସୁକୁମାରୀ ।

ଶ୍ରୀ ଗୌରାଙ୍ଗ ବାମାଙ୍ଗିନୀ ଅପୂର୍ବ ସୁନ୍ଦରୀ ହେ ।୪।

ନିମାଇଁଙ୍କ ଠାରୁ ତତ୍ତ୍ୱ ଉପଦେଶ ଶୁଣି ।

ପାସୋରି ଅଛନ୍ତି ଦୁଃଖ ମନେ ମନେ ଗୁଣି ହେ ।୫।

ନ ଜାଣନ୍ତି ନିଶି ପ୍ରାତେ ଘଟିବ କି ଦଶା ।

କାନ୍ତ ପ୍ରେମ ପ୍ରଦର୍ଶନେ ରହିଛି ଭରସା ହେ ।୬।

ଦୁଃସହ ଶୋକ ବ୍ୟାପାର କରିଛି ପ୍ରତୀକ୍ଷା ।

ଯେଣୁ ଗୌର ଯିବେ ଛାଡ଼ି ନିଶାନ୍ତରେ ଏକା ହେ ।୭।

ସକଳ ମାୟା ମମତା ଡୋରି ସୁବନ୍ଧନ ।

ଛିନ୍ନ ବିଚ୍ଛିନ୍ନ କରିବେ ଶ୍ରୀ ଶଚୀ ନନ୍ଦନ ହେ ।୮।

ଶୋକ ସିନ୍ଧୁରେ ବୁଡ଼ିବ ନଦୀୟା ନଗର ।

ଚଉଦିଗେ ହୁରି ପଡ଼ିଯିବ ହା ହା କାର ହେ ।୯।

ଶଚୀ ମାତାଙ୍କ ଦୁର୍ଦ୍ଦଶା ହେବ ଅକଥନ ।

ଶୋକାକୁଳେ ବିଷ୍ଣୁପ୍ରିୟା ହରିବେ ଚେତନ ହେ ।୧୦।

ଏକ ଦିଗେ ସ୍ନେହପୂର୍ଣ୍ଣ ପ୍ରେମର ବନ୍ଧନ ।

ଅନ୍ୟ ଦିଗେ ବେଶାଶିତ ଡୋର କଉପୀନ ହେ ।୧୧।

ଦୁଇ ଆଶ୍ରମର ସନ୍ଧିସ୍ଥଳେ ଗୌରମଣି ।

ପତିତ ହୋଇ ମାନସେ କରନ୍ତି ଭାଜେଣି ହେ ।୧୨।

ଦେଖୁ ଦେଖୁ କ୍ରମେ ପାହି ଆସିଲା ଶର୍ବରୀ ।

ତ୍ୟାଗ ଆୟୋଜନ କଲେ ପ୍ରଭୁ ଗୌରହରି ହେ ।୧୩।

ନିଘୋଡ଼ ନିଦ୍ରାରେ ଶୋଇଛନ୍ତି ବିଷ୍ଣୁପ୍ରିୟା ।

ଛାଡ଼ିଲେ ଗୌରାଙ୍ଗ ଚାନ୍ଦ ସବୁ ସ୍ନେହ ମାୟା ହେ ।୧୪।

ଅଙ୍ଗରୁ କାଢ଼ିଲେ ପ୍ରଭୁ ରତନ ଭୂଷଣ ।

ପାଲଟି ଗେରୁଆ ବାସ କଲେ ପରିଧାନ ହେ ।୧୫।

ଧୀରେ ଧୀରେ ଶୟନ ମନ୍ଦିରୁ ବିଶ୍ୱମ୍ବର ।

ସନ୍ନ୍ୟାସ ଯାତ୍ରା କାରଣେ ବୋଇଲେ ବାହାର ହେ ।୧୬।

ଦେହଳି ଲଙ୍ଘନେ ବଢ଼ାଇଲେ ପଦ୍ମପାଦ ।

ବୈଷ୍ଣବ ଦାସର ସେହି ଚରଣ ସମ୍ପଦ ହେ ।୧୭।

Image

 

(ରାଗ–ବଙ୍ଗଳାଶ୍ରୀ, ତାଳ–ଆଠତାଳୀ)

 

ଦାବାନଳ ଜାଳି ସବୁରି ହୃଦରେ

ମହାପ୍ରଭୁ ଗୌରହରି ।

ଶୟନ ମନ୍ଦିରୁ ତରତର ହୋଇ

ଆପଣେ ଗଲେ ବାହାରି ହେ ।୧।

ସନ୍ନ୍ୟାସ ନିମନ୍ତେ କାଟୁଆର ପଥେ

ଚଳିଲେ ସେ ଇଚ୍ଛା ସୁଖେ ।

କରି ନମସ୍କାର ହେଲେ ଗଙ୍ଗା ପାର

ହରଷ ବିରସ ମୁଖେ ହେ ।୨।

ହରେ କୃଷ୍ଣ ନାମ କରୁଛନ୍ତି ଗାନ

ଜୟ ରାଧେ ରାଧେ ବୋଲି ।

ସେ ନୂତନ ଭାବ କେ ବୁଝି ପାରିବ

ସନ୍ନ୍ୟାସ ଆଶ୍ରମ କେଳି ହେ ।୩।

ଭୀଷଣ ମୂରତି ପରିଗ୍ରହ କରି

ଅଛନ୍ତି ନଦୀୟା ଇନ୍ଦୁ ।

ପ୍ରଭାତ ହୋଇଲେ ନଦୀୟା ନଗରେ

ଉଛୁଳିବ ଶୋକ ସିନ୍ଧୁ ହେ ।୪।

ମହା ପାଗଳିଆ ଜଞ୍ଜାଳ ଅଳିଆ

ଛଡ଼ାଇ ଉଦାସ ମତେ ।

କାଞ୍ଚନ ନଗର ପଥେ ଅଗ୍ରସର

ହୋଇଛନ୍ତି ଅଦଭୂତେ ହେ ।୫।

ତାହାଙ୍କର ଇଚ୍ଛା ବୁଝିବା ଶକତି

ଅଛି ବା କାହାର ଭଦେ ।

ସାରା ନବଦ୍ୱୀପେ ଚହଳ ପଡ଼ିବ

ମାତ୍ର ହାହାକାର ରବେ ହେ ।୬।

ଏହି କଥା ଭାବି ଭାବି ସୁନାଛବି

ଚଳନ୍ତି ଗନ୍ତବ୍ୟ ପଥେ ।

ପ୍ରଭୁ ଗୌରହରି ଆରୋହଣ କରି

ଅଛନ୍ତି ବୈରାଗ୍ୟ ରଥେ ହେ ।୭।

ସ୍ୱେଦେପୂର୍ଣ୍ଣ ଅଙ୍ଗ ପ୍ରେମର ତରଙ୍ଗ

ଖେଳଇ ଅନ୍ତର ଗତେ ।

ପ୍ରେମ ଅଶ୍ରୁ ନୀର ହୋଇ ଧାର ଧାର

ଗଳି ପଡ଼େ ଦୁଇ ନେତ୍ରେ ହେ ।୮।

ମୁଖେ କୃଷ୍ଣ ହରି ଉଚ୍ଚାରି ଉଚ୍ଚାରି

ଚାଲି ଯାଉଛନ୍ତି ଗୋରା ।

ଭକ୍ତ ଗଳା ହାର, ଶଚୀ ମାତାଙ୍କର

ନୟନାନନ୍ଦ ପସରା ହେ ।୯।

ସବୁ ସୁଖ ଆଶା ସକଳ ଭରସା

ତୁଟାଇ ଆପଣା ମନୁ ।

କି ଦାରୁଣ ଦୁଃଖେ ପକାଇ ସଭିଙ୍କି

ଯାଇଛନ୍ତି ଶଚୀ ସୂନୁ ହେ ।୧୦।

ଏଣେ ଶୋଇଛନ୍ତି ବିଷ୍ଣୁପ୍ରିୟା ସତୀ

ଶୟନ ପଲଙ୍କ ପରେ ।

ନିଦ୍ରାଭଙ୍ଗ ହେଲେ ପାଗଳିଣୀ ହେବେ

ପ୍ରାଣନାଥ ବିଚ୍ଛେଦରେ ହେ ।୧୧।

ଦେବୀ ଶଚୀ ମାତା କେତେ ଆକୁଳିତା

ନ ହେବଟି ପୁତ୍ର ଲାଗି ।

ଗଦାଧର ହରି ଦାସ ଆଦି କରି

ଝୁରିବେ ସକଳ ସଙ୍ଗୀ ହେ ।୧୨।

ସର୍ବ ନର ନାରୀ ଢାଳି ଅଶ୍ରୁ ବାରି

ଅବନୀରେ ଯିବେ ଲୋଟି ।

ଗୌରାଙ୍ଗ ବିହୀନେ ନଦୀୟା ଭୁବନେ

ଅନ୍ଧକାର ଯିବ ଘୋଟି ହେ ।୧୩।

କି କଲ କି କଲ ପ୍ରଭୁ ବିଶ୍ୱମ୍ଭର

ପରମ ଦୟାଳୁ ମଣି ।

ଯେତେ ଦାସୀ ଦାସ, ହେବେତ ନିରାଶ

ବଇଷ୍ଣବ ଦାସ ଭଣି ହେ ।୧୪।

Image

 

(ରାଗ–କଳସା, ତାଳ–ଏକତାଳ)

 

ଶୟନ–ମନ୍ଦିରେ ତୁଳି–ତଳପ ଉପରେ ।

ଶୋଇଥିଲେ ବିଷ୍ଣୁପ୍ରିୟା ଗାଢ଼ ନିଦ୍ରାଭରେ ହେ ।୧।

ଚେତି ଉଠିଲେ ସୁନ୍ଦରୀ ବେନି ଚକ୍ଷୁ ମଳି ।

ଦେଖିଲେ ନାହାନ୍ତି ପାଶେ ଶଚୀଙ୍କ-ସଙ୍ଖାଳି ହେ ।୨।

ପାଟ ପୀତାମ୍ବର ଯୋଡ଼ି ଅଳଗୁଣି ପରେ ।

ଥୁଆ ହୋଇଅଛି ଦୃଷ୍ଟି ପଡ଼ିଲା ତହିଁରେ ହେ ।୩।

ଶ୍ରୀକର ସ୍ୱର୍ଣ୍ଣ କଙ୍କଣ କର୍ଣ୍ଣର କୁଣ୍ଡଳ ।

ରଖି ଯାଇଛନ୍ତି ପ୍ରଭୁ କରି ଏକ ଠୁଳ ହେ ।୪।

ତାହା ଦେଖି ବିଷ୍ଣୁପ୍ରିୟା ବିସ୍ମୟ ମାନସେ ।

ଆକୁଳ ହୋଇ ତତକ୍ଷଣେ କାନ୍ଦିଲେ ବିଶେଷେ ହେ ।୫।

ବାଣ ବିଦ୍ଧ ହରିଣୀ ପରାୟ ମହାସତୀ ।

ଅଧୀର ହୋଇ ଉଚ୍ଚରେ ରୋଦନ କରନ୍ତି ହେ ।୬।

ଆନନ୍ଦମୟ ଗୌରଙ୍କ ଶୟନ ଆଳୟ ।

ଦିଶିଲା ବିଷ୍ରୁପ୍ରିୟାଙ୍କୁ ଶ୍ମଶାନର ପ୍ରାୟ ହେ ।୭।

ପତି ପରାୟଣା ଅତି ବ୍ୟାକୁଳ ଅନ୍ତରେ ।

ଭାସିଲେ ଲୋତକ ଜଳେ ଗୌର ବିରହରେ ହେ ।୮।

ହୃଦରେ କର କଚାଡ଼ି ହା ହା ନାଥ ବୋଲି ।

ଗଦଗଦେ ଉଚ୍ଚ ସ୍ୱରେ ଛାଡ଼ନ୍ତି ବୋବାଳି ହେ ।୯।

ପାଗଳିଣୀ ପରି ହୋଇ ଗଲେ ଚାହୁଁ ଚାହୁଁ ।

ସୁଖର ଚନ୍ଦ୍ରକୁ ଗ୍ରାସି ଦେଲା ଦୁଃଖ ରାହୁ ହେ ।୧୦।

ଗୌରଙ୍କ ଶ୍ରୀଅଙ୍ଗ ଛଡ଼ା ମାଳତୀର ମାଳା ।

ଗୋଟାଇ ଶଯ୍ୟାରୁ ସତୀ ଭଜନ୍ତି ବାଉଳା ହେ ।୧୧।

ଗଗନ ଫଟାଇ ସତୀ ଛାଡ଼ୁଛନ୍ତି ରଡ଼ି ।

ପ୍ରାଣ କଲବଲେ ସେ ଅବନୀ ପରେ ଗଡ଼ି ହେ ।୧୨।

କ୍ଷରେ ଅଚେତନ କ୍ଷଣେ ହୁଅନ୍ତି ସଚେତ ।

ଆକୁଳେ କାନ୍ଦନ୍ତି ଶିରେ କରି କରାଘାତ ହେ ।୧୩।

ସେ କରୁଣ କ୍ରନ୍ଦନେ ପାଷାଣ ଯାଏ ଫାଟି ।

କାନ୍ଦଇ ବୈଷ୍ଣବ ଦାସ ଧରଣୀରେ ଲୋଟି ହେ ।୧୪।

Image

 

(ରାଗ–ବଙ୍ଗଳାଶ୍ରୀ, ତାଳ–ଆଠତାଳୀ)

 

ତହୁଁ ଶୋକଭରେ ଶାଶୁଙ୍କ ଆଗରେ

ଯାଇଁ ବିଷ୍ଣୁପ୍ରିୟା ସତୀ ।

କଇଁ କଇଁ ହୋଇ କହନ୍ତି ନିମାଇଁ

ଚନ୍ଦ୍ରଙ୍କର ପ୍ରିୟବତୀ ହେ ।୧।

ମାଏ ଗୋ ତୁମ୍ଭର ପୁତ୍ର ଛାଡ଼ି ଘର

କେଉଁ ଆଡ଼େ ଗଲେ ଚାଲି ।

ସୁଝିନ ବସନ ଆଭରଣ ମାନ

ଶ୍ରୀ ଅଙ୍ଗରୁ କରି ଖାଲି ଗୋ ।୨।

ନିଦେ ଶୋଇଥିଲି ଜାଣି ନ ପାରିଲି

ପ୍ରଭୁଙ୍କର ମନ କଥା ।

କି ବୁଦ୍ଧି କରିବି କେଉଁ କତି ଯିବି

ପରାଣେ ଲାଗଇ ବ୍ୟଥା ଗୋ ।୩।

କହୁଥିଲେ ମୋତେ ସେ ଗୋ ପୂର୍ବ ରାତ୍ରେ

ସନ୍ନ୍ୟାସ ହୋଇବେ ବୋଲି ।

ଲୋକ ମୁଖୁଁ ଯାହା ଶୁଣା ଥିଲା ତାହା

ଏବେ ଅନୁଭବ କଲି ଗୋ ।୪।

କେଉଁ ପ୍ରାୟ ଜୀବ ଏ ପିଣ୍ଡେ ରହିବ ?

ସେ ବିଚାର ଦିଅ ମୋତେ ।

ଦାସ ବଇଷ୍ଣବ ବିଷ୍ଣୁପ୍ରିୟା ଭାବ

ଭାବି ଭାସେ ଶୋକ ସ୍ରୋତେ ହେ ।୫।

Image

 

(ରାଗ–ଚକ୍ରକେଦାର, ତାଳ–ପହପଟ)

 

ଶଚୀ ମାତାଙ୍କର ଆଗରେ ଏତେ ।

କାନ୍ଦି କାନ୍ଦି ବିଷ୍ଣୁପ୍ରିୟା କହନ୍ତେ ।୧।

ଶୁଣି ନିମାଇଁଙ୍କ ଗର୍ଭଧାରିଣୀ ।

ଶୋକ ଗଦଗଦେ କହନ୍ତି ବାଣୀ ।୨।

କି କହୁଛୁ ମୋତେ ମା ବିଷ୍ଣୁପ୍ରିୟା ।

ଶ୍ରବଣେ ଅନ୍ତର ହୁଏ ଛାନିୟାଁ ।୩।

ସତେ କି ନିମାଇଁ ସଦନେ ନାହିଁ ?

ବାହାରି ଗଲା କି ସନ୍ନ୍ୟାସୀ ହୋଇ ।୪।

ଆହା ମୁଁ କି ବୁଦ୍ଧି କରିବି ଏବେ ।

କି କଲା ଦଇବ ଆଣି ଗରବେ ।୫।

ଆହାରେ ନିମାଇଁ ଅଞ୍ଚଳ ନିଧି !

କାହିଁ ଗଲୁ ବାପ ଜୀବନ ବଧି ।୬।

ତୋ ବିହିନେ କେହ୍ନେ ବଞ୍ଚିବି ଧନ ।

ଧିକ ଧିକ ଏ ମୋ ଛାର ଜୀବନ ।୭।

କଣ୍ଟକ ନଗର କଣ୍ଟକ ହେଲା ।

କେଶବ ଭାରତୀ କି ଶିକ୍ଷା ଦେଲା ? ।୮।

କିପରା ବୟସେ କି ବାଇ ହେଲୁ ।

ବିଷ୍ଣୁପ୍ରିୟାକୁ ଅନାଥିନୀ କଲୁ ।୯।

ଏ ବୃଦ୍ଧ କାଳରେ ଛାଡ଼ିଲୁ ମୋତେ ।

ଆଉ କି ନୟନେ ଦେଖିବି ତୋତେ ।୧୦।

ତୋ ଗୁଣ ଯାକ ସୁମରି ସୁମରି ।

ନିମାଇଁରେ ନିଶ୍ଚେ ଯିବି ମୁଁ ମରି ।୧୧।

କାହା ମୁଖ ଚାହିଁ ବଞ୍ଚିବି ଦିନ ।

ଧିକ କିନା ମୋର କରମ ହୀନ ।୧୨।

ମାଆ ମାଆ ବୋଲି କାହାକୁ ଆଉ ।

ମଧୁରେ ଡାକିବୁଟି ଆସୁ ଯାଉ ।୧୩।

ଦୁଃଖି ସଙ୍ଖାଳିରେ ନୟନ ତାରା ।

ଦେଇ ନ ଗଲୁ ଜହର ମହୁରା ।୧୪।

ଛି ଛି ଏ ଜୀବନ କାହିଁକି ଅଛି ।

ଆରେ ବାପ ଗଲୁ ଯାହା ମୁରୁଛି ।୧୫।

ହୃଦୟ ରତନରେ ଗଳାମାଳି ।

ତୋ ବିନେ ଝାସିବି ଅନଳ ଜାଳି ।୧୬।

କି ଅବା ଗଙ୍ଗାରେ ପଡ଼ିବି ଡେଇଁ ।

ଆଉ ଏ ପ୍ରାଣ ମୁଁ ରଖିବି ନାହିଁ ।୧୭।

ଏହିପରି ଅତି ଆକୁଳ ହୋଇ ।

ବାଉନି କାନ୍ଦନ୍ତି ହୃଦ ଫଟାଇ ।୧୮।

ମୁଣ୍ଡ କୋଡ଼ି ହୋଇ ଅବନୀ ପରେ ।

ଗଡ଼ନ୍ତି ଜନନୀ ସନ୍ତାପ ଭରେ ।୧୯।

ତାହାଙ୍କ ଦୁର୍ଦ୍ଦଶା ନୟନେ ଦେଖି ।

ବଇଷ୍ଣବ ବାସ ଅତ୍ୟନ୍ତ ଦୁଃଖୀ ।୨୦।

Image

 

(ରାଗ–କରୁଣଶ୍ରୀ, ତାଳ–ତ୍ରିପୁଟା)

 

ଧରଣୀ ଉପରେ ପଡ଼ି କାନ୍ଦି ଶଚୀ ଯାନ୍ତି ଗଡ଼ି

ହା ହା ରେ ନିମାଇଁ ବୋଲି କରି ।

କି କଲା ଦାରୁଣ ବିଧି ହରି ନେଲା ମୋର ନିଧି

ପ୍ରାଣ ଧରି ରହିବି କିପରି ।୧।

ଅଙ୍ଗର ଅଙ୍ଗଦ ବଳା ମୋ ନିମାଇଁ କଣ୍ଠମାଳା

ମନୋହର କର୍ଣ୍ଣର କୁଣ୍ଡଳ ।

ଖଟ ପରେ ଅଛି ପଡ଼ି କ୍ଷୀରୋଦରୀ ପାଟ ଯୋଡ଼ି

ତାର ପଢ଼ା ପୁସ୍ତକ ସକଳ ।୨।

ଦେଖି ମୋ ହୃଦୟ ଫାଟେ ନଦୀୟା ଅନ୍ଧାର ଘୋଟେ

କଲବଲ ହୁଏ ପଞ୍ଚ ପ୍ରାଣ ।

ମୋ ନିମାଇଁ ଚାନ୍ଦ ଲାଗି ନିଶ୍ଚୟ ମୁହିଁ ଅଭାଗୀ

ପଶିବଇଁ ଗହନ କାନନେ ।୩।

ଭିକ୍ଷାସିନୀ ହୋଇ ଯିବି ଯହିଁ ଗୋରାକୁ ଦେଖିବି

କାନ୍ଦିବି ତାହାର ଗଳା ଧରି ।

ସେ ମୋର ଗୌରାଙ୍ଗ ଠାଣି ନେତ୍ରେ ଦେଖାଇବ ଆଣି

ଦାସ ପଣେ ଖଟିବି ତାହାରି ।୪।

ବଇଷ୍ଣବ ଦାସ ଭଣେ କାନ୍ଦ ମାତ ଅକାରଣେ

ଜୀବ ହିତେ ତୁମ୍ଭର ନନ୍ଦନ ।

ଧରିବେ ସନ୍ନ୍ୟାସୀ ବେଶ ଉଦ୍ଧାରିବେ ସର୍ବ ଦେଶ

ଦୟାମୟ ଜଗତ ବନ୍ଦନ ସେ ।୫।

Image

 

(ରାଗ–ବଙ୍ଗଳାଶ୍ରୀ, ତାଳ–ଆଠତାଳୀ)

 

ବିଷ୍ଣୁ ପ୍ରିୟା କାନ୍ଦି ଶଚୀଙ୍କି ପ୍ରବୋଧି

କହନ୍ତି ଚରଣ ଧରି ।

ନ କାନ୍ଦ ଜନନୀ ! ନ କାନ୍ଦ ଜନନୀ !!

ବିଅର୍ଥେ ପାଗଳୀ ପରି ଗୋ ।୧।

ନେତ୍ରୁ ଢାଳି ଜଳ ନ ହୁଅ ବିକଳ

ଧୈର୍ଯ୍ୟ ଧରି ହୁଅ ତୁନି ।

ତୁମ୍ଭର ଦୁର୍ଦ୍ଦଶା ଦେଖି ତ ସହସା

ଫାଟି ଯାଉଛି ମୂର୍ଦ୍ଧନୀ ଗୋ ।୨।

ଯା ଅଛି କପାଳେ ପୂର୍ବ କର୍ମ ଫଳେ

ଭୋଗ ହେବ ତା ଅବଶ୍ୟ ।

କଲେ ମା ରୋଦନ ହେବ ଅକଲ୍ୟାଣ

ମୋ ପ୍ରଭୁଙ୍କର ଅଯଶ ଗୋ ।୩।

ହୃଦୟର ନିଧି କେତେ ଯେ ପ୍ରବୋଧି

କହିଛନ୍ତି ମୋର ଆଗେ ।

ତୁମ୍ଭଙ୍କୁ ବୁଝାଇ ବୋଧିବାର ପାଇଁ

ଆଦେଶିଛନ୍ତି ସରଗେ ଗୋ ।୪।

ଶ୍ରୀ ଗୌର ଜନନୀ ଶଚୀ ଠାକୁରାଣୀ

ବିଷ୍ଣୁ ପ୍ରିୟା ବାଣୀ ଶୁଣି ।

କିଞ୍ଚିତ ମାତ୍ରକ ସମ୍ଭାଳିଲେ ଶୋକ

ବଇଷ୍ଣବ ଦାସ ଭଣି ହେ ।୫।

Image

 

(ରାଗ–ମଙ୍ଗଳ ବିରାଡ଼ି, ତାଳ–ଏକତାଳୀ)

 

ନଦୀୟା ନଗର ଭରି କ୍ରମେ ପଡ଼ିଗଲା ହୁରି

ଛାଡ଼ିଗଲେ ବୋଲି ଗୋରା ଚାନ୍ଦ ।

ସର୍ବ ନର ନାରୀ ମାନେ ରୁଣ୍ଡ ହୋଇ ସ୍ଥାନେ ସ୍ଥାନେ

କାନ୍ଦନ୍ତି ହୋଇଣ ଗଦଗଦ ହେ ।୧।

ଦଳେ ଦଳେ ହୋଇ ଆସି ଶଚୀ ଅଙ୍ଗଣେ ପ୍ରବେଶି

ବିଲୋକନ୍ତି ମାତାଙ୍କ ଦୁର୍ଦ୍ଦଶା।

ପାଗଳିଣୀ ପ୍ରାୟ ହୋଇ କାନ୍ଦେ ବିଷ୍ଣୁପ୍ରିୟା ଦେଈ

ଅସହନ ସେ କରୁଣ ଭାଷା ହେ ।୨।

ଏହି କାଳେ ଗଦାଧର ହରି ଦାସ ଭକ୍ତବର

ଶଚୀଙ୍କ ଚରଣ ତଳେ ପଡ଼ି ।

ବୁଝାଇ ବୁଝାଇ କେତେ କହିଲେ ସେ ନାନା ମତେ

ତେବେ ଶୂନ୍ୟ ନୋହେ ତାଙ୍କ ରଡ଼ି ହେ ।୩।

ଶ୍ରୀବାସଙ୍କର ଘରଣୀ ସେ ମାଳିନୀ ଠାକୁରାଣୀ

ନାରାୟଣୀ ସହିତରେ ଆସି ।

ଶାଶୁ ବୋହୂ ବେନି ଜନେ ନାନା ପ୍ରବୋଧ ବଚନେ

ବାରମ୍ବାର କହନ୍ତି ଆଶ୍ୱାସି ହେ ।୪।

ଶଚୀ ଦେବୀଙ୍କ ଭଗିନୀ ସେ ପାର୍ବତୀ ଆସି ପୁଣି

ବୁଝାଇଲେ କେତେ ପରକାରେ ।

ଗର୍ଭଧାରିଣୀ ଜନନୀ କେବେ ନ ହୁଅନ୍ତି ତୁନି

ବାଉନି କାନ୍ଦନ୍ତି ବାରମ୍ବାର ହେ ।୫।

ଯେ ଯେତେ ବୁଝାଉଛନ୍ତି ଶଚୀ ମାତା ନ ବୁଝନ୍ତି

ବୋଲନ୍ତି ମୋ ନିମାଇଁ ନିମାଇଁ ।

ନେତ୍ର ଯୁଗୁଁ ବହେ ଲୁହ ବେଳୁଁ ବେଳ ଉଠେ କୋହ

ଅଚେତନେ ପଡ଼ନ୍ତି ଘୁମାଇଁ ହେ ।୬।

ଏ ଦାରୁଣ ଦଶା ଦେଖି ଧୈର୍ଯ୍ୟ କେ ପାରିବ ରଖି

ନବଦ୍ୱୀପେ କ୍ରନ୍ଦନ ଚହଳ ।

ଦୁଃଖୀ ବଇଷ୍ଣବ ଦାସ ଛାଡ଼ଇ ଦୀର୍ଘ ନିଶ୍ୱାସ

ନୟନରୁ ଢାଳି ଅଶ୍ରୁଜଳ ହେ ।୭।

Image

 

(ରାଗ–ଦୀର୍ଘ ଛାନ୍ଦ, ତାଳ–ତ୍ରିପୁଟା)

 

ଉଷା କାଳେ ସାରି ସ୍ନାନ ସକଳ ମହାନ୍ତ ଗଣ

ଆସିଲେ ଗୌରାଙ୍ଗ ଦରଶନେ ।

ପ୍ରଭୁ ଯାଇଛନ୍ତି ଚାଲି ମନ୍ଦିର ପଡ଼ିଛି ଖାଲି

ପୂର୍ଣ୍ଣ ମାତ୍ର ଆକୁଳ କ୍ରନ୍ଦନେ ହେ ।୧।

ଆକୁଳେ ଫଟାଇ ହିଆ କାନ୍ଦୁଛନ୍ତି ବିଷ୍ଣୁପ୍ରିୟା

ଶଚୀଙ୍କର ଶୋକ ଅସମ୍ଭାଳ ।

ଗଦାଧର, ହରି ଦାସ ବୋଧୁଛନ୍ତି ରହି ପାଶ

ସବୁରି ନୟନେ ଅଶ୍ରୁଜଳ ହେ ।୨।

ଶ୍ରୀ ନିତ୍ୟାନନ୍ଦଙ୍କୁ ଚାହିଁ ବାୟାଣୀ ପରାୟ ହୋଇ

ପଚାରନ୍ତି ଶଚୀ ମାତା କାନ୍ଦି ।

ରେ ଗୁଣମଣି ନିତାଇ ମୋହର ନିମାଇଁ କାହିଁ ?

ଖୋଜିଆଣ ବୁଲି ସାହି କନ୍ଦିରେ ।୩।

ପାଷଣେ ପରାଣ ବାନ୍ଧି ନିତାଇ କହନ୍ତି ବାନ୍ଦି

ଆଗୋ ମାତା କି ପଚାର ମୋତେ ।

ପ୍ରାଣର ଭାଇ ନିମାଇଁ ଏ ନଦୀୟା ପୁରେ ନାହିଁ

ପଥିକ ସେ କାଟୁଆର ପଥେ ଗୋ ।୪।

ଧଇର୍ଯ୍ୟ ଧର ଜନନୀ ନୁହ ଆଉ ପାଗଳିନୀ

ଗୌରାଙ୍ଗ ଛାଡ଼ିଲେ ଗୃହ ବାସ ।

ଏହିମତେ ସର୍ବ ଜନେ ବୁଝାନ୍ତି ଶୋକ ବଚନେ

କାନ୍ଦି କହେ ବଇଷ୍ଣବ ଦାସ ହେ ।୫।

Image

 

(ରାଗ–କଳସା, ତାଳ–ଏକତାଳୀ)

 

ଯିବାରୁ ନଦୀୟା ଚାନ୍ଦ କାଞ୍ଚନ ନଗରେ ।

ବୁଡ଼ିଲେ ଭକତ ସର୍ବେ ସନ୍ତାପ ସାଗରେ ହେ ।୧।

 

ଗୌରାଙ୍ଗ ବିଚ୍ଛେଦେ ନବଦ୍ୱୀପ ନର ନାରୀ ।

ଝୁରନ୍ତି ଅତି ଆକୁଳେ ନେତ୍ରୁ ଢାଳି ବାରୀ ହେ ।୨।

 

ଅଦ୍ୱୈତ ଶ୍ରୀବାସ ନରହରି ଗଦାଧର ।

ମୂରାରି, ମୁକୁନ୍ଦ, ବାସୁ, ସେ ଚନ୍ଦ୍ରଶେଖର ।୩।

 

ଶ୍ରୀ ରଘୁନନ୍ଦନ, ବ୍ରହ୍ମାନନ୍ଦ, ବକ୍ରେଶ୍ୱର ।

କାନ୍ଦନ୍ତି ଅବନୀ ଲୋଟି ହୋଇଣ ଅଧୀର ହେ ।୪।

 

ନିତ୍ୟାନନ୍ଦ, ହରି ଦାସ କାନ୍ଦନ୍ତି ଆକୁଳେ ।

କାନ୍ଦେ ବଇଷ୍ଣବ ଦାସ ଭାସି ଅଶ୍ରୁଜଳେ ହେ ।୫।

Image

 

(ରାଗ–ବଙ୍ଗଳାଶ୍ରୀ, ତାଳ–ଆଠତାଳୀ)

 

ନବଦ୍ୱୀପେ ଗୋଳ କ୍ରନ୍ଦନ ଚହଳ

ପଡ଼ିଗଲା ଅହରହ ।

ପଶୁ ପକ୍ଷୀ ତାତି ସହି ନ ପାରନ୍ତି

ଶ୍ରୀ ଗୌରଚନ୍ଦ୍ର ବିରହ ।୧।

ଗଛ ପତ୍ର ଯେତେ କାନ୍ଦନ୍ତି ସମସ୍ତେ

ଶୁଭେ ହାହାକାର ଧ୍ୱନି ।

କାନ୍ଦଇ ଜାହ୍ନବୀ ଗୋରା ଗୁଣ ଭାବି

କାନ୍ଦେ ନଦୀୟା ଅବନୀ ।୨।

ନବଦ୍ୱୀପ ବାସୀ ପ୍ରାଣୀ ରାଶି ରାଶି

ସବୁରି ଲୋତକ ଧାରା ।

ଗୌରାଙ୍ଗ ବିହୀନେ ସୁଖ ନାହିଁ ମନେ

ଭକ୍ତେ ହେଲେ ଦରମରା ।୩।

ଶ୍ରୀବାସ ଅଙ୍ଗନ ଦିଶେ ଅଶୋଭନ

ଏକା ଗୌରଚନ୍ଦ୍ର ବିନୁ ।

ସଂକୀର୍ତ୍ତନ ଲୀଳା ଶୋଭା ନ ପାଇଲା

ନ ଥିବାରୁ ଶଚୀ ସୂନୁ ।୪।

ସବୁ ସୁଖ ଶିରୀ ଗୌର ନେଲେ ହରି

ସବୁଙ୍କ ମନରେ ଦୁଃଖ ।

ବଇଷ୍ଣବ ଦାସ ହୋଇଲା ନିରାଶ

ନ ଦେଖି ଗୌର ଶ୍ରୀମୁଖ ।୫।

Image

 

(ରାଗ–ଦୀର୍ଘଛାନ୍ଦ, ତାଳ–ତ୍ରିପୁଟା)

 

କାଞ୍ଚନ ନଗରେ ଯାଇଁ ଶ୍ରୀ ଶଚୀ ସୁତ ନିମାଇଁ

ଯଥା କାଳେ ହୋଇଲେ ପ୍ରବେଶ ।

କେଶବ ଭାରତୀ ପଦେ ପ୍ରଣମି ଭକ୍ତି ଗଦ୍‌ଗଦେ

ମନ କଥା କରନ୍ତି ପ୍ରକାଶ ।୧।

ସମ୍ଭ୍ରମେ ସନ୍ନ୍ୟାସୀବର କଲ୍ୟାଣ ବାଞ୍ଛି ସତ୍ତ୍ୱର

ମୁଖେ ଉଚ୍ଚାରିଲେ ନାରାୟଣ ।

ଆଜ ବଡ଼ ଭାଗ୍ୟ ମୋର ବୋଲି ହୋଇ ତୋଷଭର

ପୁଚ୍ଛା କଲେ ନିମାଇଁଙ୍କି ପୁଣ ।୨।

କି କାର୍ଯ୍ୟ ହେ ଶଚୀ ସୁତ ମୋର କୁଟୀରେ ଆଗତ

କହ ବାବା ସଂଶୟ ଫିଟାଇ ।

ଭାରତୀ ଗୋସାଇଁଙ୍କର ମୁଖୁଁ ଶୁଣି ତତପର

କର ଯୋଡ଼ି କହନ୍ତି ନିମାଇଁ ।୩।

ତବ ପଦେ ଏହି ଭିକ୍ଷା ଦିଅନ୍ତୁ ସନ୍ନ୍ୟାସ ଦୀକ୍ଷା

ଆସିଛି ମୁଁ ବଢ଼ ଆଶା କରି ।

ଘେନିବି କୌପୀନ ଡୋର ଅଭିଳାଷ ଅଛି ମୋର

ଏଣୁ ଘରୁ ଆସିଛି ବାହାରି ।୪।

ଦାରୁଣ ସଂସାର ଜ୍ଜ୍ୱଳା କୃଷ୍ଣ ନାମେ ବାଧା ଦେଲା

ତହିଁ ମୋର ନାହିଁ ପ୍ରୟୋଜନ ।

ସନ୍ନ୍ୟାସ ଆଶ୍ରମେ ଇଚ୍ଛା ପୂର୍ଣ୍ଣ କର ମନ ବାଞ୍ଛା

ଚରଣେ କରୁଛି ନିବେଦନ ।୫।

ଶୁଣି କେଶବ ଭାରତୀ ହୋଇଲେ ବିସ୍ମୟ ମତି

ନିରେଖନ୍ତି ଗୌରଙ୍କ ଶ୍ରୀମୁଖ ।

ବିଲୋକି ଲାବଣ୍ୟ କାନ୍ତି କିଛି କହି ନ ପାରନ୍ତି

ବୈଷ୍ଣବ ଦାସର ମନେ ଦୁଃଖ ।୬।

Image

 

(ରାଗ–ମଙ୍ଗଳ ଗୁଜ୍ଜୁରୀ, ତାଳ–ଏକତାଳୀ)

 

ଏମନ୍ତ ସମୟେ ଚନ୍ଦ୍ରଶେଖର ଆଚାର୍ଯ୍ୟ ।

ପ୍ରବେଶ ହୋଇଲେ ତହିଁ ହୋଇଣ ଅଧୈର୍ଯ୍ୟ ।୧।

କେଶବ ଭାରତୀ ପଦେ କରି ନମସ୍କାର ।

ନମିଲେ ଗୌରଙ୍କ ପାଦପଦ୍ମେ ତତପର ।୨।

ମୃଦୁ ହାସେ ମହାପ୍ରଭୁ ଶ୍ରୀଶଚୀ ଦୁଲ୍ଲାଳ ।

ବୋଇଲେ ଅଇଲ ତୁମ୍ଭେ ହୋଇଅଛି ଭଲ ।୩।

ଏତେ କହି ଭାରତୀଙ୍କି କଲେ ସମ୍ଭାଷଣ ।

ପ୍ରଣତି ନତି ବିହିଲେ ସନ୍ନ୍ୟାସ କାରଣ ।୪।

ଭାରତୀ ବୋଲନ୍ତି ଶୁଣ ଆହେ ବିଶ୍ୱମ୍ଭର ।

ସନ୍ନ୍ୟାସ ଦେବାକୁ କମ୍ପଇ ମୋ କଳେବର ।୫।

ଏ ତୁମ୍ଭ ଲାବଣ୍ୟ କାନ୍ତି ତରୁଣ ବୟସ ।

ଜନ୍ମ ଅବିଧିରୁ ଜାଣି ନାହିଁ ଦୁଃଖ କ୍ଲେଶ ।୬।

ନବୀନ ଯୁବକ ତୁମ୍ଭେ ସୁକୁମାର ଅତି ।

ସନ୍ନ୍ୟାସ ଦୀକ୍ଷା ଦେବାରେ ନ ବଳେ ମୋ ମତି ।୭।

ଅପତ୍ୟ ସନ୍ତାନ ପୁଣି ନାହାନ୍ତି ତୁମ୍ଭର ।

ଘରଣୀ ନବଯୁବତୀ ଅଟନ୍ତି ଆବର ।୮।

ବୃଦ୍ଧା ଶଚୀ ଦେବୀଙ୍କର ଏକମାତ୍ର ସୁତ ।

ସନ୍ନ୍ୟାସୀ ହେବାକୁ କେହ୍ନେ ବଳାଉଛ ଚିତ୍ତ ।୯।

ପଞ୍ଚାଶ ବର୍ଷ ଟପିଲେ ତେବେ ସିନା ବତ୍ସ ।

ସଂସାର ବାସନା ମାନସରୁ ହୁଏ ତୁଚ୍ଛ ।୧୦।

ଏଣୁ ସନ୍ନ୍ୟାସୀ କରିବା ପାଇଁକି ତୁମ୍ଭଙ୍କୁ ।

ଇଚ୍ଛା ନୁହଇ ମୋହର ଥରୁଅଛି ବୁକୁ ।୧୧।

ଏ ନୁହେଁ ବିଚାର ସିଦ୍ଧ ଆହେ ଗୌରହରି ।

ଯଦି ସନ୍ନ୍ୟାସ କାରଣେ ଅଛ ମନ କରି ।୧୨।

ଫେରି ଯାଇ ନିଜ ଗୃହେ କଣ୍ଟକ ନଗରୁ ।

ଅନୁମତି ଆଣ ଜନନୀଙ୍କ ନିକଟରୁ ।୧୩।

ଆବର ସବୁଙ୍କ ଠାରୁ ଆଣ ହେ ବିଦାୟ ।

ସ୍ୱପତ୍ନୀଙ୍କି ନିରାଶା ନ କର ଦୟାମୟ ।୧୪।

ଏ ବିନୁ କେସନେ ମୁହିଁ କେବଣ ବିଚାରେ ।

ହସ୍ତକ୍ଷେପ କରିବଇଁ ଅଣ ଉଚିତରେ ।୧୫।

ପ୍ରେମର ମତ୍ତତା ତୁମ୍ଭ ଭାବର ଉଚ୍ଛ୍ୱାସ ।

ବିଲୋକନ କରି ଲାଗେ ସଂଶୟ ବିଶେଷ ।୧୬।

ପ୍ରେମ–ସ୍ୱେଦ ନୀରେ ଜରଜର ସୁନା ଅଙ୍ଗ ।

ହୁଁ କାର ଧ୍ୱନି ନର୍ତ୍ତନ ରଙ୍ଗର ତରଙ୍ଗ ।୧୭।

ଭକ୍ତିର ଅଷ୍ଟ ସାତ୍ତ୍ୱିକ ବିକାର ଲକ୍ଷଣ ।

ପ୍ରକାଶ ପାଉଛି ଚମତ୍କାରେ ବିଲକ୍ଷଣ ।୧୮।

ଏକି ହେ ଆଶ୍ଚର୍ଯ୍ୟ ଗୌର ତେଜପୁଞ୍ଜ ଦେହ ।

ଅଦ୍ଭୁତ ଶ୍ରୀମୁଖ ଜ୍ୟୋତି ବ୍ରଜଭାବେ ସ୍ନେହ ।୧୯।

ଜାଣେ ମୁଁ ନିଶ୍ଚୟ ତୁମ୍ଭେ ଜଗତ କାରଣ ।

ଇଚ୍ଛାରେ ମାନବ ଦେହ କରିଛ ଧାରଣ ।୨୦।

ତବ ଉପଦେଶ ଦାତା ଯୋଗ୍ୟ ମୁଁ ନୁହଇଁ ।

ନିଜ ଗୁଣେ କୃପା କରି ବାହୁଡ଼ ଗୋସାଇଁ ।୨୧।

ଏ କଥା ଶ୍ରବଣେ ମହାପ୍ରଭୁ ବିଶ୍ୱମ୍ଭର ।

କାନ୍ଦି କାନ୍ଦି କୃତାଞ୍ଜଳି ପୁଟେ ପୁନର୍ବାର ।୨୨।

କହି ଆରମ୍ଭିଲେ ତହିଁ ମନର କଥାଟି ।

ଶୁଣି ବୈଷ୍ଣବ ଦାସର ହିୟା ଯାଏ ଫାଟି ।୨୩।

 

(ରାଗ–ବଙ୍ଗଳାଶ୍ରୀ, ତାଳ–ଆଠତାଳୀ)

 

ଯୋଡ଼ି କର ଦୁଇ କହନ୍ତି ନିମାଇଁ

କେଶବ ଭାରତୀ ପାଶେ ।

ଆପଣଙ୍କୁ ମୁହିଁ କିସ କହିବଇଁ

ଆଉ ବା ଏ ଅବକାଶେ ହେ ।୧।

ଧର୍ମ୍ମ ତତ୍ତ୍ୱ କିବା ଜାଣେ ମୁଁ ତ ସେବା

କରି ନାହିଁ ସଦଗୁରୁ ।

ସଂସାରକୁ ଆସି ଜଞ୍ଜାଳର ପାଶି

ନି ଛେଦିଲେଟି ଆଦ୍ୟରୁ ହେ ।୨।

ଦୁର୍ଲ୍ଲଭ ଜନମ ସିନା ଅକାରଣ

କ୍ଷଣ ଭଙ୍ଗୁର ଏ ଦେହ ।

ଏଥିକଲେ ହେଳା ବୁଡ଼ିବତ ଭେଳା

ଏମନ୍ତ କଥା ନ କହ ହେ ।୩।

ଯଦି ଏ ଶରୀର ଧ୍ୱଂସ ଛାରଖାର

ହୋଇଯାଏ ଅବା କାଳେ ।

ତେବେ କେଉଁମତି ବୈଷ୍ଣବ ସଙ୍ଗତି

ଲଭିବଇଁ ଅବହେଳେ ହେ ।୪।

ହେ ସନ୍ନ୍ୟାସୀ ବର ନିରାଶ ନ କର

ଘେନ ମମ ନିବେଦନ ।

ତବ ଅନୁଗ୍ରହେ ସୁନିର୍ମଳ ଦେହେ

କରିବି କୃଷ୍ଣ ଭଜନ ହେ ।୫।

କୃଷ୍ଣ ଦାସ ହୋଇ ସନ୍ନ୍ୟାସୀ ବୋଲାଇ

ଆଚରିବି ଭିକ୍ଷାଟନ ।

ସେ ଗୃହ ସଂସାରେ କଦର୍ଯ୍ୟ ବ୍ୟାପାରେ

ଅଛି କିବା ପ୍ରୟୋଜନ ହେ ।୬।

କ୍ଷଣିକ ସୁଖରେ ମଜ୍ଜି ଥାନ୍ତି ନରେ

ନ ଜାଣି ସିନା ଗୋସାଇଁ ।

ଅନିତ୍ୟ ସଂସାର ମିଥ୍ୟା କାରବାର

ଲେଶେ ତହିଁ ସୁଖ ନାହିଁ ହେ ।୭।

ନ ହୁଅ କୁଣ୍ଠିତ ଦିଅ ଦୀକ୍ଷା ମନ୍ତ୍ର

ସନ୍ନ୍ୟାସର ଯେ ବିଧାନ ।

ଘେନି ମୋର ଦୈନ୍ୟ ଚଞ୍ଚଳ ଆପଣ

କର ଦିବ୍ୟ ଅବଧାନ ହେ ।୮।

ଏତେ ବୋଲି ଗୋରା- ଚାନ୍ଦ ହୋଇ ତ୍ୱରା

ଅତି ବ୍ୟାକୁଳତା ଭାବେ ।

ଭାରତୀ ଚରଣ କଲେ ଆଲିଙ୍ଗନ

ଗୋସାଇଁ ବସିବା ଠାବେ ।୯।

ହୋଇଲେ ପରାସ୍ତ ଭାରତୀ ତେବେତ

ଆକୁଳ ଅନ୍ତରେ ତହିଁ ।

ନିମାଇଁଙ୍କ ଭାବ ଏ ଦାସ ବୈଷ୍ଣବ

ବୁଝି ପୁଣି ନ ବୁଝଇ ।୧୦।

Image

 

(ରାଗ–ଦୀର୍ଘଛାନ୍ଦ, ତାଳ–ତ୍ରିପୁଟା)

 

ଗୌରଙ୍କ ବ୍ୟାକୁଳ ରୀତି ଦେଖି କେ ଧରିବ ଧୃତି

ଅନନ୍ତର କେଶବ ଭାରତୀ ।

ନ ପାରିଲେ ସ୍ଥିର ହୋଇ ସନ୍ନ୍ୟାସୀ କରିବା ପାଇଁ

ତତକ୍ଷଣେ ବଳାଇଲେ ମତି ହେ ।୧।

ପୂର୍ବେ ପ୍ରଭୁ ବିଶ୍ୱମ୍ଭର ସ୍ୱପ୍ନେ ଦିବ୍ୟ ମନ୍ତ୍ର ସାର

ନିଶି ଯୋଗେ ହୋଇଥିଲେ ପ୍ରାପ୍ତ ।

ଭାରତୀଙ୍କି ସେହି ମନ୍ତ୍ର ଜଣାଇ ଦେଲେ ତ୍ୱରିତ

ନିଜ ମନ୍ତ୍ରେ ଆପଣେ ଦୀକ୍ଷିତ ହେ ।୨।

ଦଣ୍ଡୀ ଭାରତୀ ଗୋସାଇଁ ଯେ କାଳେ ଗୌରଙ୍କୁ ତହିଁ

ସନ୍ନ୍ୟାସୀ ଦୀକ୍ଷାକୁ ଦେବେ ବୋଲି ।

ଭାବେ ହୋଇଲେ ସମ୍ମତ ନାମ ପ୍ରେମେ ହୋଇ ମତ୍ତ

ନିମାଇଁଙ୍କ ଛାତି ଉଠେ ଫୁଲି ହେ ।୩।

କେଶବ ଭାରତୀ କର୍ଣ୍ଣେ ମନ୍ତ୍ର କହନ୍ତେ ଆପଣେ

ଜଗତ୍‌ଗୁରୁ ନିମାଇଁ ସୁନ୍ଦର ।

ପ୍ରକାରାନ୍ତେ ହେଲେ ଗୁରୁ ପ୍ରେମ ବାଞ୍ଛା କଳ୍ପତରୁ

ସେହି ସେ ଭାରତୀ ସନ୍ନ୍ୟସୀଙ୍କର ହେ ।୪।

ସକଳ ମରମ କଥା ଭାରତୀ ବୁଝିଲେ ତଥା

ମନେ ମନେ ହୋଇଲେ ଉଲ୍ଲାସ ।

ଧନ୍ୟ ମଣି ଆପଣାକୁ ପ୍ରଶଂସନ୍ତି ନିମାଇଁଙ୍କୁ

ଭଣେ ଦୁଃଖୀ ବଇଷ୍ଣବ ଦାସ ହେ ।୫।

Image

 

(ରାଗ–ଦୀର୍ଘ ବଙ୍ଗଳାଶ୍ରୀ, ତାଳ–ଆଠତାଳୀ)

 

ମନେ ମୋଦ ବହି ଭାରତୀ ଗୋସାଇଁ

କହିଲେ ଶଚୀ ସୁତଙ୍କୁ ।

ହେ ବତ୍ସ ନିମାଇଁ ସେ ମନ୍ତ୍ର ଦେବଇଁ

ଶୁଣାଇଲ ଯା ଆମ୍ଭଙ୍କୁ ।

ଆହେ ଦୟାନିଧି ! ନିଜମନ୍ତ୍ରେ ରଖି ନିଜ ସିଦ୍ଧି ।୧।

 

ଏ ବଚନ ଶୁଣି ଗୌର ନିଶାମଣି,

ନାଚନ୍ତି ଆନନ୍ଦ ହୋଇ ।

ଗମ୍ଭୀର ନାଦରେ ହରି ଶବଦରେ

ଅବନୀ ଦେଲେ କମ୍ପାଇଁ ।

ପ୍ରଭୁ ସୁନା ହାତୀ । ପୁଲ୍ଲକରେ ଫୁଲାଇଲେ ଛାତି ।୨।

 

ଶ୍ରୀଅଙ୍ଗ ମାଧୁରୀ, ଚମତ୍କାର ଶିରୀ,

ଅତ୍ୟନ୍ତ ଲାବଣ୍ୟ ତୋରା ।

ଅନ୍ତରେ ଫୁଟାନ୍ତି, ମରକତ କାନ୍ତି,

ମିଶା ମିଶି କଳା ଗୋରା ।

ସେ ଯେ ରାଈ କାହ୍ନୁ । କଳି ଯୁଗେ ଧନ୍ୟ ଶଚୀ ସୂନୁ ।୩।

 

ଆନନ୍ଦେ ସଘନେ, ଅରୁଣ ନୟନେ

ଥକ ଥକ ପ୍ରେମ ବାରି ।

ମଧର ଅଧରେ, ମୃଦୁ ହସନରେ,

ଅମୀୟ ପଡ଼ଇ ଝରି ।

ନବ ଦ୍ୱୀପ ଶଶୀ । ସନ୍ନ୍ୟାସ ଦୀକ୍ଷାକୁ ଛନ୍ତି ରସି ।୪।

 

କାଞ୍ଚନ ନଗରୀ ବାସୀ ନରନାରୀ,

ଆବାଳ ବୃଦ୍ଧ ବନିତା ।

ଦର୍ଶନ ଲାଳସେ, ଭାରହୀ ନିବାସେ

ମିଳି କରୁଛନ୍ତି ଚିନ୍ତା ।

କି ସୁନ୍ଦର ଛଇ । ସନ୍ନ୍ୟାସ ହୋଇବେ କାହିଁ ପାଇଁ ।୫।

 

ଦେଖି ଲୋକ ସର୍ବେ, ହା ହା କାର ରବେ

ହୁଅନ୍ତି କଥା ବାରତା ।

ଏ ଦୁଃଖୀ ବୈଷ୍ଣବ ଦାସ ମନେ କ୍ଷୋଭ

ବଦନୁ ନ ଷ୍ଫୁରେ କଥା ।

କି ବୟସେ ଗୋରା । ହେବେ ଦଣ୍ଡ କମଣ୍ଡଳ ଧରା ।୬।

Image

 

(ରାଗ–ଲଳିତ କେଦାର, ତାଳ–ପହପଟ)

 

ନଣ୍ଟକ ନଗର ବାସିନୀମାନେ ।

ଶ୍ରୀ ଗୌରାଙ୍ଗ ରୂପ ଦେଖି ନୟନେ ।୧।

ଏକୁ ଆରେ କୁହା କୁହି ହୁଅନ୍ତି ।

ଆହା ଏ ପୁରୁଷ ଲାବଣ୍ୟ କାନ୍ତି ।୨।

ଚାହିଁଲେ ନ ପଡ଼େ ନେତ୍ର ପଲକ ।

ଅତି ଅନୁପମ ଶ୍ରୀଅଙ୍ଗ ଯାକ ।୩।

ଧନ୍ୟ ସେ ଜନନୀ ଯେ ଥିଲେ ପାଇ

ସଉଭାଗ୍ୟବତୀ ସିନା ଗୋ ସେହି ।୪।

ଗର୍ଭେ ଧରିଥିଲେ ଏ ପରା ସୁତ ।

ଦେବକୀ ସମାନ ହେବେ ସେହିତ ।୫।

ପତି କରି ପାଇ ଅଛି ଗୋ ଯେହୁ ।

ତାହାର ସୁକୃତ କେ ଅବା କହୁ ।୬।

ତ୍ରୈଲୋକ୍ୟ ମୋହନ ମୂରତି ଗୋଟି ।

ସମାନ ନୋହିବ ମଦନ କୋଟି ।୭।

ଏ ପରା ପୁରୁଷ ରତନ ମଣି ।

ସନ୍ନ୍ୟାସୀ ହୋଇବେ କିମ୍ପା ମିତଣୀ ।୮।

ଅଙ୍ଗ ପ୍ରତିଅଙ୍କ ଶୋଭାକୁ ଚାହିଁ ।

କେଉଁ ଯୁବାନାରୀ ନୋହିବ ମୋହି ।୯।

ଏ ବୟସେ କିମ୍ପା ଛାଡ଼ିଲେ ଘର ।

ଆହା ଏ ପୁରୁଷ କେଡ଼େ ସୁନ୍ଦର ।୧୦।

ଜନନୀ ଏହାଙ୍କ ଯେ ହୋଇଥିବେ ।

କେଉଁ ପରି ସେହୁ ପ୍ରାଣ ଧରିବେ ।୧୧।

ପତ୍ନୀ ଏହାଙ୍କର ଯେବଣ ନାରୀ ।

ରହିବକି ସେ ଗୋ ଜୀବନ ଧରି ।୧୨।

ଏହାଙ୍କ ସନ୍ନ୍ୟାସ କେବା ସହିବ ।

କି ସମୟେ କି କରୁଛି ଦଇବ ।୧୩।

ଏତେ ଅନୁମାନି କାଟୁଆ ନାରୀ ।

ସଭିଙ୍କ ନୟନୁ ବହଇ ବାରୀ ।୧୪।

ବ୍ୟାକୁଳେ କାନ୍ଦନ୍ତି ଗୌରଙ୍କୁ ଚାହିଁ ।

ହେ ସୁନ୍ଦର ଯୋଗୀ ହୁଅ କିମ୍ପାଇଁ ।୧୫।

ତୁମ୍ଭ ରୂପ କାନ୍ତି ଅପୂର୍ବ ଶୋଭା ।

ସନ୍ନ୍ୟାସ ନ କରି ଫେର ହେ ବାବା ।୧୬।

ଆପଣାର ଘର ସଂସାର କର ।

ଏ ଯୁବା ବୟସେ ନୁହ ଫକୀର ।୧୭।

ଏପରି ସକଳେ ଆକୁଳେ ଭଣି ।

ବୈଷ୍ଣବ ଦାସର ମନେ ଭାଳେଣି ।୧୮।

Image

 

(ରାଗ–ରାମକେରୀ, ତାଳ–ଆଠତାଳୀ)

 

କାଞ୍ଚନ ନଗରବାସୀଙ୍କି ଚାହିଁ ନିମାଇଁ ଚାନ୍ଦ ।

କହନ୍ତି ମଧୁର ବଚନେ ତୁମ୍ଭେ କେହି ନ କାନ୍ଦ ।୧।

ଆଶୀର୍ବାଦ କର ସକଳେ ମୋର ଶୁଭ ମନାସି ।

ତୁମ୍ଭମାନଙ୍କର କଲ୍ୟାଣେ ମୁହିଁ ହେବି ସନ୍ନ୍ୟାସୀ ।୨।

ପିତା ମାତା ସର୍ବେ ମୋହର ମନେ ନ କର ଦୁଃଖ ।

ସବୁରି ପ୍ରସାଦେ ଗ୍ରହଣ କରିବଇଁ ମୁଁ ଭେଖ ।୩।

ଶ୍ରଦ୍ଧା ମୋର କୃଷ୍ଣ ଚରଣେ ଆଜି ବିକିବି ମଥା ।

ଏଥିପାଇଁ କେହି ନ କହ ଆଉ ନିଷେଧ କଥା ।୪।

କୃଷ୍ଣ ଭଜନରେ ସାରିବି ଏ ମୋ ରୂପ ଯୌବନ ।

ସେ ମୋ ପ୍ରାଣପତି ଜାତ ହେ ଏଥେଁ ନୁହ ବିମନ ।୫।

କୃଷ୍ଣ ବିନେ ଅନ୍ୟ ଶରଣ ନାହିଁ କାହିଁ ମୋହର ।

ଏ କାର୍ଯ୍ୟରେ ବାଧା ନ ଦିଅ ଭଜ କୃଷ୍ଣ ପୟର ।୬।

ନିମାଇଁ ସୁନ୍ଦର ଏମନ୍ତ ସବିନୟ ବଚନେ ।

କାଞ୍ଚନ ନଗରବାସୀଙ୍କି ନିବେଦିଲେ ସଘନେ ।୭।

ତଦନ୍ତେ ଭାରତୀ ଗୋସାଇଁ ପଦେ ପ୍ରମାଣ କରି ।

ମାଗିଲେ ସନ୍ନ୍ୟାସ ଭିକ୍ଷା ସେ ନବଦ୍ୱୀପ ବିହାରୀ ।୮।

ଗୌରଙ୍କ ଅନ୍ତର କଥା ଯେ ଅନୁଭବରେ ଜାଣି ।

ଭାରତୀ ଗୋସାଇଁ ନୟନୁ ଝରେ ଲୋତକ ଶ୍ରେଣୀ ।୯।

ସନ୍ନ୍ୟାସ ବିଧାନ କାର୍ଯ୍ୟରେ ହେଲେ ସେ ଉଦଯୋଗୀ ।

ବଇଷ୍ଣବ ଦାସ ଝୁରଇ ଗୌର କରୁଣା ଲାଗି ।୧୦।

Image

 

(ରାଗ–କଳସା, ତାଳ–ଏକତାଳୀ)

 

ମହାପ୍ରଭୁ ଗୌରହରି ଶ୍ରୀ ଶଚୀ ନନ୍ଦନ ।

କୃଷ୍ଣ ନାମ ରସେ ମଜ୍ଜାଇଲେ ସର୍ବ ମନ ହେ ।୧।

ଆରଦିନ ପ୍ରାତଃକାଳେ ସ୍ନାନାଦି ବଢ଼ାଇ ।

ଉଦ୍‌ବେଗ ଚିତ୍ତ ସନ୍ନ୍ୟାସ ଦୀକ୍ଷା ନେବା ପାଇଁ ହେ ।୨।

କୃଷ୍ଣ ପୂଜା ଆରମ୍ଭିଲେ ସେ ଆଚାର୍ଯ୍ୟ ରତ୍ନ ।

ସନ୍ନ୍ୟାସ କର୍ମ୍ମ ବିଧାନ ଦ୍ରବ୍ୟ କଲେ ଯତ୍ନ ହେ ।୩।

ନିମାଇଁଙ୍କ ଚୌଦିଗେ ବୈଷ୍ଣବଗଣ ଘେରି ।

ଉଚ୍ଚ ସ୍ୱରେ ସକଳେ ବୋଲନ୍ତି ହରି ହରି ହେ ।୪।

ଗୁରୁଙ୍କ ସମ୍ମୁଖେ ଗୌର ହୋଇ ପୁଟ୍ଟାଞ୍ଜଳି ।

ସନ୍ନ୍ୟାସ ଦୀକ୍ଷାକୁ ଭିକ୍ଷାରୂପେ କଲେ ଅନି ହେ ।୫।

ମୁଣ୍ଡନ କରିବେ କେଶ ଶୂନ୍ୟ କରି ମଥା ।

ଏ ବିଷୟେ ସମସ୍ତଙ୍କ ହୃବେ ମହା ବ୍ୟଥା ହେ ।୬।

ଚାରୁ ଚିକ୍‌କଣ କୋମଳ ଘନ କେଶ ରାଶି ।

କାଟି ପକାଇବେ ଗୌର ଚିତ୍ତ ଅଭିଳାଷୀ ହେ ।୭।

ପୂର୍ବେ ଯେଉଁ କେଶଚୂଡ଼ା ତ୍ରୈଲୋକ୍ୟ ମୋହନ ।

ମୋହିଥିଲା ବ୍ରଜାଙ୍ଗନାମାନଙ୍କର ମନ ହେ ।୮।

ଯେବଣ କେଶ କୁସୁମହାରେ ପାଏ ଶୋଭା ।

ଯେଉଁ କେଶ ପାଶ ସର୍ବଜନ ମନଲୋଭା ହେ ।୯।

କେଉଁ କେଶଚୂଡ଼ା ଧ୍ୟାନେ ବ୍ରହ୍ମା ଶିବ ଭୋଳା ।

ଯେଉଁ କେଶଚୂଡ଼ ଚିନ୍ତି ନାରଦ ବାଉଳା ହେ ।୧୦।

ସେ କେଶ ମଣ୍ଡନ ହେବେ ଜଗତ ଗୋସାଇଁ ।

ଲୋକହିତେ ସନ୍ନ୍ୟାସର ଦୀକ୍ଷା ନେବା ପାଇଁ ହେ ।୧୧।

ଇଚ୍ଛାମୟଙ୍କ ଇଚ୍ଛାରେ କେବା ଦେବ ବାଧା ।

କେ ଭାଙ୍ଗି ପାରିବ ଗୌରଙ୍କର ଯେ ଶରଧା ହେ ।୧୨।

ମଧୁ ନାପିତେ ହକାରି ଭାରତୀ ଗୋସାଇଁ ।

ଆଜ୍ଞା ଦେଲେ ଗୌର କେଶ ମୁଣ୍ଡାଇଁବା ପାଇଁ ହେ ।୧୩।

ଯଥାକାଳେ ଶ୍ରୀ ନିମାଇଁ ନାପିତର ପାଶେ ।

ସରାଗେ ବସିଲେ ମଥା ମୁଣ୍ଡନର ଆଶେ ହେ ।୧୪।

ଅତି ଭକ୍ତିମାନ ଅଟେ ମଧୁ ନାପିତ ।

ଗୌର କେଶ ଛେଦିବାରେ ନ ବଳେ ତା ଚିତ୍ତ ହେ ।୧୫।

ହସ୍ତ ନ ଛୁଆଁ ଏ ଗୌରଚନ୍ଦ୍ର ମସ୍ତକରେ ।

ମହାତ୍ରାସେ ତାର ଅଙ୍ଗ କମ୍ପେ ଥରଥରେ ।୧୬।

କଣ୍ଟକ ନଗରବାସୀ ଯେ ନାରୀ ପୁରୁଷେ ।

କାନ୍ଦୁଛନ୍ତି ଅତିଶୟ ବିକଳ ମାନସେ ହେ ।୧୭।

କାନ୍ଦଇ ମଧୁ ନାପିତ ନ କାଟଇ କେଶ ।

ନିମାଇଁଙ୍କୁ କି କହିବ ନ ବଳେ ସାହସ ହେ ।୧୮।

ବିଚାରଇ ମନେ ମନେ ସନ୍ତାପିତ ହୋଇ ।

କାହିଁକି ଏ କୁଳେ ମେତେ ଜନ୍ମ ଦେଲା ବିହି ହେ ।୧୯।

କିପରି ଛେଦନ କରିବି ମୁଁ ପ୍ରଭୁ କେଶ ।

କର ସହିତେ ଥରୁଛି ମୋ ସର୍ବାଙ୍ଗ ଦେଶ ହେ ।୨୦।

ଏତେ ପାଞ୍ଚି ନିମାଇଁଙ୍କ ଶ୍ରୀଚରଣ ଧରେ ।

ବଇଷ୍ଣବ ଦାସ ଦୁଃଖ ନିବେଦନ କରେ ହେ ।୨୧।

Image

 

(ରାଗ–ଦୀର୍ଘ ବଙ୍ଗଳାଶ୍ରୀ, ତାଳ–ଆଠତାଳୀ)

 

ମଧୁ ନାପିତର ମନ କଥା ଜାଣି କହନ୍ତି ପ୍ରଭୁ ନିମାଇଁ ।

କିମ୍ପା କରୁ ଡେରି ପକାଅ କତୁରୀ ମୋର କେଶଯାକ ତୁହି ।

ଆରେ ମଧୁଶୀଳ ! ଅନ୍ୟ କିଛି ମନେ ତୁ ନ ଭାଳ ।୧।

 

କର ଯୋଡ଼ି ତହିଁ ନାପିତ କହଇ ଘେନ ପ୍ରଭୁ ମୋ ପ୍ରାର୍ଥନା ।

ଏ ସୁନ୍ଦର କେଶ କେମନ୍ତେ କାଟିବି ମୋ ହାତ ଥରୁଛି କିନା ।

ଆହେ ଦୟାମୟ ! କମ୍ପେ କଳେବର ଅତିଶୟ ।୨।

 

ତୁମ୍ଭ ଶିରେ ହାତ ଦେଇ ମୁଁ କେମନ୍ତ ଛୁଇଁବି ପୁଣିକା ପାଦ ।

ଯା’ କହ ତା’ କହ ନସହେ ମୋ ଦେହ ଘାଣ୍ଟିହୋଇଯାଏ ହୃଦ ।

ଆହେ ସୁନାଛବି ! ମନ ଯାହା ହୁଏ କି କହିବି ? ।୩।

 

ଅଧମ କୁତ୍ସିତ ନାପିତ କୁଳରେ ଜନମ ମୋହର ମାତ୍ର ।

କେବଣ ସାହସେ ତବ ଶିରଦେଶେ ହେବି କ୍ଷୁରଦେବା ପାତ୍ର ।

ଆହେ ଗୌରହରି ! ସର୍ବାଙ୍ଗ ଥରୁଛି ଏଣୁକରି ।୪।

 

ନାପିତର ବାଣୀ ଶୁଣି ଗୌରମଣି କହନ୍ତି ମଧୁର ସ୍ୱରେ ।

ଆଜ ଅବଧିରୁ ଦ୍ୱିଜ ବୋଲାଇବୁ କ୍ଷୁର ନ ଧରିବୁ କରେ ।

ଘେନ ଏହି ସୂତ୍ର ତୋର କନ୍ଧେ ଦେଲିରେ ନାପିତ ।୫।

 

ଭଜି କୃଷ୍ଣ ହରି ଏ ବୃତ୍ତି ପାଶୋରି ମହାସୁଖେ ନିଅ ଦିନ ।

ଅଭାବ ନୋହିବ ତୋତେ କେଉଁଦ୍ରବ୍ୟ ଜାଣ ଏ ସତ୍ୟବଚନ ।

କୃଷ୍ଣ କୃପା ଲଭ । ମନରୁ ବରଜି ଦିଅ କ୍ଷୋଭ ।୬।

 

ଆଜ ମାତ୍ରକ ମୋ କେଶ କାଟିଥାଅ କାଲିଠାରୁ ହେବୁ ଦ୍ୱିଜ ।

କୃଷ୍ଣ ମନ୍ତ୍ରଦାନେ ଦେଶେ ସ୍ଥାନେ ସ୍ଥାନେ ଗୁରୁ ବୋଲାଇବୁ ହେଜ ।

ତୋର ବଂଶେ କେହି । ଏ ଦୀନ ବୃତ୍ତି କରିବେ ନାହିଁ ।୭।

 

ନିମାଇଁଙ୍କ ଆଜ୍ଞା ନକରି ଅବଜ୍ଞା ସେ ଭକ୍ତବିର ନାପିତ ।

ଶ୍ରୀଚରଣ ତଳେ ଦଣ୍ଡବତ କରି ପ୍ରଭୁ ଶିରେ ଦେଲା ହାତ ।

ମୁଣ୍ଡାଇଲା କେଶ । ବେନି କରଯୋଡ଼ି ମାଗେ ତୋଷ ।୮।

 

ଆନନ୍ଦ ମାନସେ ମୁଣ୍ଡନର ଶେଷେ ମହାପ୍ରଭୁ ବିଶ୍ୱମ୍ଭର ।

କରି ଗଙ୍ଗାସ୍ନାନ ସନ୍ନ୍ୟାସ କାରଣ ଚଳିଲେ ତହୁଁ ସତ୍ୱର ।।

ଭାରତୀଙ୍କ ପାଶେ । ସର୍ବ ଶୁଭଲଗ୍ନ ଅବକାଶେ ।୯।

 

ଦଇବେ ମକର କୁମ୍ଭ ସନ୍ଧିସ୍ଥଳ ବସନ୍ତର ଆଗମନେ ।

ଦେଲେ ସନ୍ୟାସଦୀକ୍ଷା ଭାର ଗୋସାଇଁ ଯଥାର୍ଥ ମନ୍ତ୍ର ବିଧାନେ ।

ଭକ୍ତମାନେ ଘେରି । ସର୍ବେ ବୋଲୁଛନ୍ତି ହରି ହରି ।୧୦।

 

ନାମ ସଂକୀର୍ତ୍ତନେ ବଇଷ୍ଣବଗଣେ ଉନ୍ମତ୍ତେ କରନ୍ତି ନୃତ୍ୟ ।

ନିମାଇଁ ଚନ୍ଦ୍ରଙ୍କ ସନ୍ନ୍ୟାସ ବିଧାନ ଶୁଭେ ହେଲା ସମାପତ ।

ବଇଷ୍ଣବ ଦାସ । କରେ ଗୌର ପଦେ ସଦା ଆଶ ।୧୧।

Image